ରମଣୀରତନ
ରମଣୀରତନ
ମୃଦୁ ସୁହାସିନୀ କୋକିଳଭାଷିଣୀ
ସୁହାଗରେ ଅନୁରାଗ
ମାଦକତା ଭରା ପ୍ରୀତିମଧୁ ଝରା
ପରିଣୀତା ପ୍ରାୟେ ଲାଗ ।
ଉଲ୍ଲାସରେ ପୂରି ଉଚ୍ଛ୍ବାସରେ ଘୂରି
କଟାକ୍ଷେ ମୋହିତ କର
ଜାଣ ବିମ୍ବାଧରୀ ଯୁଗ ଯୁଗ ଧରି
ବକ୍ଷ ମୋ ତୃଷ୍ଣାରେ ଭର ।
ଶତଶତ ମଧୁ ସ୍ବପ୍ନେ ରାତି ଅଧୁ
ପୁଲକେ ଖେଳାଇ ଛାୟା
ବିହର ପ୍ରକୋଷ୍ଠେ ବିଚୁମ୍ବିତ ଓଷ୍ଠେ
ମୁଲକେ ବିମୋହେ କାୟା ।
ଆସି ସନ୍ନିଧାନେ ନମଜ୍ଜି ନିଦାନେ
ଅପସରି ଯାଅ ଛଳେ
ରତିନତି ଟାଳି କେତେ ଆଉ ଜାଳି
ମାରିବ ବିରହାନଳେ ?
ବିଫଳ ଫଳକେ ଆଙ୍କିଛି ପଳକେ
ନିରାଶା ପ୍ରଣୟଲେଖା
ତମସରେ ଭରା ଶୂନ୍ୟତାରୁ ଝରା
ଏହି କି ବିଜୁଳିରେଖା !
ନପାଇ ସମ୍ବାଦ ଭରେ ଗୋ ପ୍ରମାଦ
ଅନ୍ତରେ ମୋ ତିଳେ ତିଳେ
ମିଥ୍ଯା ଅପବାଦ ହେଲାଣି ଅବାଧ
ଜନମୁଖେ ଯାହା ମିଳେ ।
ହୃଦ ଆକର୍ଷଣେ ଆସିଛ ଦର୍ଶନେ
ଯେତେ ଉନ୍ମାଦନା ନେଇ
ସତେ କି ସମ୍ପ୍ରତି ଅନୁପ ସମ୍ପତ୍ତି
ଅର୍ପିବ ସଂସ୍ରବ ଦେଇ ?
ଅଭୀପ୍ସିତ ସୁଖେ ତନ୍ଦ୍ରାଳସୀ ମୁଖେ
ଆରକ୍ତ କୁରଙ୍ଗୀ ଆଖି
ମନ୍ଥରଗାମିନୀ ଶୃଙ୍ଗାରକାମିନୀ
ଚିତ୍ତେ ମୋ ରହିଛ ଲାଖି ।
ସୁନିବିଡ଼ ପ୍ରେମ ସରି ନୁହେଁ ହେମ
ବିପଣି ନଶ୍ବର ମୂଲ
ବିନିମୟେ ଭାବ ପରଖି ପ୍ରଭାବ
ସ୍ବୀକାର ପ୍ରଣୟଫୁଲ ।
ସଞ୍ଚାରି ବିଶ୍ୱାସ ସୁରଭିତ ଶ୍ବାସ
ପରସ୍ପରେ ନେଉ ମୋହି
ପରିହରି ବ୍ରୀଡା ଉଶ୍ୱାସ ମୋ ପୀଡା
ବାହୁବେଷ୍ଟନେ ମୋ ଶୋହି ।
ମନ ମରୁଭୂମେ ବରଷିବ ତୁମେ
ଯେବେ ଶତ ରସଧାରେ
ସାନ୍ନିଧ୍ୟେ ନିଶ୍ଚୟ ଭାବନା ନିଚୟ
ଲୟ ହେବ ଶରଧାରେ ।
ରମଣୀରତନ କର ଗୋ ଯତନ
ତୋଷ ଆସି ବିଚକ୍ଷଣେ
ତନ୍ମୟତା ସଙ୍ଗେ ପ୍ରଣୟର ରଙ୍ଗେ
ବିହ୍ବଳ ହୋଇବା କ୍ଷଣେ ।