ହାଏରେ ମୋ’ ପାୱାର ଚଷମା – ୨
ହାଏରେ ମୋ’ ପାୱାର ଚଷମା – ୨
ନଈକୂଳେ ମୁଁ ମାରୁଛି ଟହଲ,
ମାଛ ଧରାଳି ସେ ଫିଙ୍ଗୁଛି ଜାଲ,
ତୁଠ ହେଲା ଖାଲି ସନ୍ଧ୍ୟା ସମୟ
ମନେ ମୋ’ ହୋଇଲା ପ୍ରେମ ଉଦୟ ।
ଗାଧୁଆ ତୁଠ ସେ ଆର ପାରିର,
ନାରୀଟିଏ ହେଲା ଦୃଷ୍ଟି ଗୋଚର,
ନାଲି ଶାଢ଼ୀ ତାର ପିନ୍ଧିଛି ଦେହେ,
ଅଧା ଗାଧୁଆ ସେ ମନକୁ ମୋହେ ।
ଆଣ୍ଠିଏ ପାଣିକୁ ଗଲି ଓହ୍ଲାଇ,
ନାଲି ପଣତ ସେ କଲାରେ ବାଇ,
ନଈ ପାରି ହେଲି ମନ ଖୁସିରେ,
ପହଞ୍ଚିଲି ଯାଇ ଆର ତୁଠରେ ।
ଗାଇଟେ ଶୋଇଛି ମୁଣ୍ଡ ଦେଖାଇ,
ନାଲି କନାକୁ ଦେଉଛି ଚୋବାଇ,
ନୁହେଁ ସେ ପଣତ, ସେ ନାଲି କନା,
ସୁଅରେ ଭାସି ସେ ଆସିଛି ସିନା ।
ଚାଳିଶିଆ ତୁରେ ଭାରି ଅଡ଼ୁଆ,
ପ୍ରଥମେ ମନକୁ କରୁ ଛାନିଆ,
ଭାବେ ମନ ଯେବେ ରମ୍ଭା, ମେନକା
ଦେଉ ଶରଧାରେ ତୁ ସୃପଣଖା ।
ମୁନ୍ନା ମହାପାତ୍ର, ଗୁଣପୁର