ଜଗବନ୍ଧୁ ଦୟାନିଧି
ଜଗବନ୍ଧୁ ଦୟାନିଧି
ଊର୍ଦ୍ଧ୍ବକୁ ଉଠାଇ ବାହା
ତୁମରି ଚରଣ ତଳେ ମୁଁ ଶରଣ
ଶୁଣ ଆହେ ଲକ୍ଷ୍ମୀନାହା ।
ଆତ୍ମବନ୍ଦୀ ପ୍ରାୟେ ସ୍ବନିବାସେ ଥାଏ
ଦେଖୁଛି ମୋତେ ବା କିଏ
ସସାଗରା ଧରା ଶୋଭା ଛାଡି ପରା
ଝରିଲା ଲୋତକ ପିଏ ।
ସୁଖଦ ପ୍ରକାଶ ପାଇଁ ଅବକାଶ
ବିହୁନେ ଘୋଟଇ ନିଶା
ମାନସ ଗଗନେ ଫୁଟେନାହିଁ କ୍ଷଣେ
ଆକାଂକ୍ଷାର ଶତଭିଷା ।
ଶ୍ରୀମନ୍ଦିରେ ଘଣ୍ଟ ବାଜେ
ଶ୍ରବଣେ ପରଖି ଅଣ୍ଟାକୁ ସଳଖି
ଉଠଇ ସହଳେ ଲାଜେ ।
ଗହନ ଅନ୍ଧାରେ ବହନ ଶ୍ରଦ୍ଧାରେ
ବାରିଛି ପ୍ରତି ନିଃଶ୍ବାସ
ଆତ୍ମା ସହବାସୀ ହେଲେ ପରବାସୀ
ତୁଟାଇ ମୋର ବିଶ୍ବାସ ।
ଚାଲିଲା ରାହାରେ ଋତୁର ସାହାରେ
ଧରିଥିଲା ଯେତେ ଫୁଲ
ମଧୁ ଆଶେ ଆସି ଅଳିକୁଳ ନାଶି
ଲୁଟି ନେଲେ ଯକ୍ଷ ତୁଲ ।
କିପାଇଁ କହିବି ବେଶି
ଜୀବନ ଯାତ୍ରାରେ ଅଧିକ ମାତ୍ରାରେ
ଦେଇଛ ତ ଛଦ୍ମବେଶୀ ।
ଶ୍ରମଦାନ କରି ଅର୍ପେ ଥରି ଥରି
ନିଜର ବଳକା ଆୟୁ
ଦେଖ ପ୍ରତିଦାନେ ମିଳିଛି ଏ ସ୍ଥାନେ
ରୁଦ୍ଧ କୋଠରୀ ବାୟୁ ।
ଭଙ୍ଗାଅଖ ରଥେ ଅଗମ୍ୟ ଏ ପଥେ
କିପରି ଚାଲିବି କହ
ଜରା ବ୍ୟାଧି ଦୁଃଖ କଲାଣି ବିମୁଖ
ପରିଜନେ ଦୁର୍ବିସହ ।
ଚାରିପଟେ ହୋଇ ଠିଆ
ଦୁର୍ବାର ଇଚ୍ଛାରେ ପଡି ମୋ' ପିଛାରେ
ମନ୍ଥି ଦେଇଗଲେ ହିଆ ।
ଏକବାଟ ତୁମ ବୁଦ୍ଧମୟ ଦ୍ରୁମ
ବିରାଟ ଜଠର ତଳେ
ଆଶ୍ରା ତ ଦେଇଛ ଶରଣ ରଖିଛ
ଦୁସ୍ଥଜନେ କୃପା ବଳେ ।
ଫିଟାଇଛ ରଙ୍କ ପତିତ ଜନଙ୍କ
ସଙ୍କଟର ନାଗଫାଶ
ତକ୍ଷଣେ ବିହରି ରଖିଛ ତ ହରି
ପୂରାଇବ ମୋର ଆଶ ।
ଜଗବନ୍ଧୁ ଦୟାନିଧି
ଆରତ ନାଶନେ ଦେଖିବି ଆସନ୍ନେ
ଶରଣ ରକ୍ଷଣ ବିଧି ।