ହାଏରେ ମୋ’ ପାୱାର ଚଷମା – 4
ହାଏରେ ମୋ’ ପାୱାର ଚଷମା – 4
କାଳୀ ପୂଜାର ସେ ରଙ୍ଗମଞ୍ଚରେ
ଦଳେ ଝିଅ ନାଚୁଛନ୍ତି ଖୁସିରେ,
ସ୍ମାଇଲି, ଷ୍ଟାଇଲି ସୁପରହିଟ୍,
ରସିକ ମନକୁ କଲେଣି ବିଟ୍ ।
ଗୋରା ଚେହେରାକୁ, ଗୋଲାପି ଓଠ
ପାଗଳ ଏ ମନ ଖୋଜୁଛି ବାଟ,
କି ବୁଦ୍ଧି କରିଲେ ଦେଖା ଯେ ହେବ,
ତୁମେ ହିଁ ସାହା ହେ ରାଧାମାଧବ ।
କିଏ ଲାଗେ ରମ୍ଭା, କିଏ ଉର୍ବଶୀ,
ଷୋଳ ବଯସୀ ମୋ’ କାକୁଡ଼ି କଷି,
ଆଖିରେ ମାରୁଛୁ ଏମିତି ତୀର,
ଘାଇଲା କରୁଛୁ ମନକୁ ମୋର ।
ଯଉବନ ଭରା ଗୋରା ଚେହେରା
ମେଘମାଳା ପ୍ରାୟେ କେଶ ପସରା
ନାଚ ସାଥେ ତାଳ ଦେଉଛି କେଶ,
ମନ ଟାଣି ନିଏ ତୁମ ସୁବେଶ ।
ଗହଳି ଭାଙ୍ଗିବା ସମୟ ହେଲା
ଷ୍ଟେଜ ପଛପଟେ ରହିଛି ଖୋଲା
ତିନି ଫୁଟିଆ ସେ ଛୋଟ ଦୁଆର,
ଛଟପଟ ଏଣେ ମନ ମୋହର ।
ଜଣ ଜଣ କରି ଆସିଲେ ଚାଲି,
ନଈ ଶୁଖିଗଲା ରହିଲା ବାଲି,
ହାଏରେ ପାୱାର ଚଷମା ମୋର,
କାହିଁ ଦେଉ ଧୋକା ତୁ ବରାବର ।
ନୁହନ୍ତିରେ ପୁଅ ଅବା ସେ ଝିଅ
ମନେ ଆଉ ନ ରହିଲା ସନ୍ଦେହ,
ଧିକ ଆରେ ମୋର ପ୍ରେମିକ ମନ,
ବୁଢା ଏ ବୟସେ ଜାଗେ ଯୌବନ,
ବୁଢା କାଳେ କଲେ ଚୋରାପୀରତି,
ଏଇ ଭଳି ଭାଇ ହୁଅଇ ଗତି,
ଖରାପ ନଜର ଯଦି ରହଇ,
କରି ହୀନିମାନ ଭାଗ୍ୟ ଛାଡ଼ଇ ।
ମୁନ୍ନା ମହାପାତ୍ର,
ଗୁଣପୁର