ଜନନୀ
ଜନନୀ
ହେ ଈଶ୍ଵର !ବ୍ରହ୍ମାଣ୍ଡ ବିଶ୍ଵରେ
ତୁମେ ହିଁ, ତୁମେ ହିଁ,
ଜଣେ ମାତ୍ର ଧ୍ରୁବ ସତ୍ୟ,
ମର୍ଯ୍ୟାଦା ପୁରୁଷ ।
ସୃଷ୍ଟି,ସ୍ଥିତି,ପ୍ରଳୟ,ବିଲୟ
ଭାଗ୍ୟରେ,ଭାଗ୍ୟରେ,
ସିଦ୍ଧିବାର ସିଦ୍ଧ ଶିଳ୍ପୀ
ପୟୋଧି, ପୀୟୂଷ ।
ତୁମରି ଇଙ୍ଗିତେ ଶ୍ଵେତ ପଦ୍ମ
ପୁଣ୍ୟରେ, ପୁଣ୍ୟରେ,
ବରିନେଲା ପଙ୍କ କୋଳ
ଜନନୀ ରୂପରେ ।
ପୁଣ୍ୟମୟୀ ପଙ୍କ ଧନ୍ୟ ହେଲା
ଜନମେ, ଜନମେ,
ଜନ୍ମଦାତ୍ରୀ, ଧାତ୍ରୀ ସାଜି
ତୁମ ଦରବାରେ ।
ପଙ୍କ ନୁହେଁ ସିଏ ଜନ୍ମଦାତ୍ରୀ,
କର୍ମରେ, କର୍ମରେ
ଭାଗ୍ୟ ରେଖା ରଚୟିତା
ସନ୍ତାନ ପଦ୍ମର ।
ତେଣୁ ସିନା ଶ୍ଵେତ ପଦ୍ମ ଭାଗ୍ୟ
ଶ୍ରଦ୍ଧାରେ, ଶ୍ରଦ୍ଧାରେ,
ସିଦ୍ଧ କଲା ସିଂହାସନ
ତୁମ ଚରଣର ।
ହେ ଈଶ୍ଵର !ପ୍ରଶ୍ନବାଚୀ ଏକ
ଆତ୍ମାରେ,ଆତ୍ମାରେ,
ଘାରୁଅଛି ଘୁର୍ଣ୍ଣି ପରି
ଏ ମୋ' ହୃଦୟକୁ ।
ଚିରନ୍ତନ ଅଭାଗିନୀ ରୂପେ
ସହଜେ,ସହଜେ,
ଜନନୀ ମୋ'ସ୍ଵୀକାରିଲା
ଜନମ ଦେବାକୁ ।
ମେଞ୍ଚା ମେଞ୍ଚା ଦୁଃଖ ଓ ଯନ୍ତ୍ରଣା
ଛଳରେ,ଛଳରେ,
ଶ୍ରୀକୃଷ୍ଣଙ୍କ ହସ ହସି
ତା'ରେ ଲଦିଦେଲ ।
ଦେଲା ନାହିଁ ସେଇ ଅଧିକାର
ସତରେ, ସତରେ,
ଆଙ୍କିଥାନ୍ତା ଭାଗ୍ୟ ରେଖା
ନିଜ ସନ୍ତାନର !
ସବୁ ତକ ଦୁଃଖ,କ୍ଳେଶ,ଗ୍ଲାନି
ବିନ୍ଦୁରେ,ବିନ୍ଦୁରେ,
ଅଦେଖା,ଅଶୁଣା ପରି
ଦୂରରେ ରୁହନ୍ତେ ।
ପଦ୍ମ ପରି ସ୍ଵର୍ଗୀୟ ମାନ୍ୟତା
ଜନମେ ମରଣେ,
ଚିରନ୍ତନ ସାଥି ହୋଇ
କପାଳେ ମୋ' ଥା'ନ୍ତେ ।
କହୁ କହୁ କହି ମାତ୍ର ଦେଲି
କଥାରେ,କଥାରେ,
ଧୃଷ୍ଟତା ସୁଧାରି ନେବ
ହେ ପଦ୍ମ ଚରଣ !
ଅଧିକାର ନୁହେଁ, ଆଶୀର୍ବାଦ
ମନରେ,ମନରେ,
ଚିନ୍ତୁଛି ମନ ଭିତରୁ
ଧର୍ମର ଶରଣ ।
ହୁଏ ପଛେ ଭାଗ୍ୟଶ୍ରୀ ବିହୀନ
ଦୁଃଖରେ ସୁଖରେ
ମୋ'ପାଇଁ ସରଗ ସେଇ
ଜନନୀର କୋଳ ।
ଜନମ ଜନମ ଜନ୍ମ ନେବି
ତା' କୋଳେ, ତା'କୋଳେ,
ଲୋଡ଼ା ନାହିଁ ଆଉ କିଛି
ଅନ୍ୟଥା ସମ୍ବଳ !