ମା' ଓ ଶୀତ ରାତି
ମା' ଓ ଶୀତ ରାତି
ମାଘର ହାଡ଼ଭଙ୍ଗା ଶୀତ ହେଉ କି
ଜୀବନର ମଞ୍ଜଥରା ଶୀତ,
ଏକା ମା' ହିଁ ସହିପାରେ ଶୀତର ଦାଉ ।
କନ୍ଥାକମଳ ନ ଥାଉ, ବିଛଣା,ଚଦର ନ ଥାଉ
ମା'ର ଚିରାକାନି ବି ଲଢିପାରେ ଶୀତ ସହ,
ଆଲିଙ୍ଗନର ଉଷ୍ମତାରେ ହିଁ ପଛକୁ ହଟିଯାଏ
ରାତି ପରି ଦୁଃଖ, କମିଯାଏ ଶୀତର ଆୟୁ ।
ଘର ଭିତରେ କି ରାସ୍ତାକଡ
ଖୋଲା ଆକାଶ ତଳେ ଅବା କେଉଁ
ପରିତ୍ୟକ୍ତ ଦୋକାନ ବାରଣ୍ଡାରେ .....
କ'ଣ ଯାଏ ଆସେ ମୁଁ କେଉଁଠି !
ଏତିକି ଢେର୍ ... ମା' କୋଳରେ ମୁଁ,
ମା' ଲଢ଼ୁଛି ଶୀତ ସହ, ରାତି ସହ ।
ମାଆ ବୋଧେ ଯାଦୁ ଜାଣେ ,
ନହେଲେ ଚିରାକାନିଟା ଏତେ ଉଷୁମ୍ କେମିତି !
ଶିରାଳ ହାତ ଦି'ଟା ଏତେ କୋମଳ କେମିତି !
କେମିତି ଘୁଞ୍ଚି ଘୁଞ୍ଚି ଯାଉଛି ଶୀତ !
କେମିତି ଲୁଚି ଲୁଚି ଯାଉଛି ରାତି !
ମାଆ ଗୀତ ଗାଇଲେ .....
ପ୍ରଜାପତି ପରି ଶୀତ ଉଡିଯାଏ ଲାଜରେ ।
ଗପ କହିଲେ .....
ବୁଢ଼ୀ ଅସୁରୁଣୀ ପରି
ଭିଡ଼ି ଧରିଥିବା ଦୁଃଖ ଲୁଚିଯାଏ
ଭଅଁର ର ଦୁକୁଦୁକି ପରି କାହାଣୀ ପେଡିରେ ।
ଆକାଶରେ ତୋଫା ଜହ୍ନ
ଏବେ ବାଟ ଛାଡ଼ିବ ସୂର୍ଯ୍ୟକୁ,
ସୂର୍ଯ୍ୟ ଖୋଜିବ ମାଆର ପାଦ,
ହାତ ବଢ଼େଇ ମାଗିନବ ଆଶିଷ,
ମାଆ ବି କାର୍ପଣ୍ୟ କରିବନି ସେ ଜାଣେ ।
ସେ ଜାଣେ.....
ମାଆ ହିଁ ଓଜଃମୟ କରେ,
ତେଜମୟ କରେ ।
କେବଳ ମାଆ ହିଁ ......
ଜୀବନରେ ଜୀବନ ଭରେ ।।
ଦୀପ୍ତିମୟୀ ବିଶ୍ବାଳ