ତଥାପି ଜୀବନ
ତଥାପି ଜୀବନ
ଆବେଗ ଖଡ୍ଗଧାରେ
ନଜର ସଳଖ ରଖି ଚାଲୁଚାଲୁ
କୋଉ ଅବା
ସମ୍ପର୍କର ଦୂବ ପତ୍ରକୁ ମହାଦୃମ କହିପାରିଲି..!?
ସ୍ନେହ-ପ୍ରେମ-ସୁହାଗ ସିନା
ଉଛୁଳା ପିଆଲା ପରି ମାଟି ଚୁମିଲେ
ହେଲେ ବନ୍ଧନ ବଟବୃକ୍ଷ ଶିରା ପ୍ରଶିରାରେ କଣ
ବାସ୍ନାୟିତ ପୁଷ୍ପର ପେନ୍ଥାଏ ଭଲପାଇବା
ଝୁଲେଇ ପାରିଲି..!?
କଉ ଅବା କଳି ପାରିଲି
ଦିବଙ୍ଗତ ଲୁହ ମାନଙ୍କର ଆୟୁଷ
କବିତାରେ ପରଖି ପରଖି
ମୁଖାଧାରୀ ପୁରୁଷଙ୍କ ପୌରୁଷ..!!
କଉ ଅବା
ଶବ୍ଦର ଯାଦୁଗରୀ ସ୍ପର୍ଶରେ ସାବଜେଇ ପାରିଲି
ଚାଷୀ ଓଠର ଧାନଫୁଲ ହସ..!
କାଗଜ ଛାତିରେ ଗଜୁରିଉଠିଲା
ସ୍ମିତାରାଣୀ ବିଶ୍ୱାଳର ଶ୍ୱାସରୁଦ୍ଧ ନିଶ୍ୱାସ..!
ଅବା
ଅଚିରେ ବୋହିହେଲା
ତେଲ ଲୁଣ ଲୁହ ଲହୁର ଶେଷ ଅବଶୋଷ..!!
କଉ ଅବା ଫେରେଇ ପାରିଲି
ଅଯୋଧ୍ୟାକୁ ବନବାସୀ ରାମ , ଗୋପପୁରକୁ ଦେଶାନ୍ତର ଶ୍ୟାମ
ଅବା
ସୁରଟ ସୂତାକଳରୁ ପରସ୍ତ ପରସ୍ତ ଟାଣିହେଲା
ମାଟି ମାଆ ପ୍ରେମ..!!
ଅହରହ ଦେଖିଛି
ବିଶ୍ୱାସ-ଅବିଶ୍ବାସ , ଭଲ-ମନ୍ଦ , ପାପ-ପୂଣ୍ୟ
ତୁ ତୁ ମୁଁ ମୁଁର କୁରୁକ୍ଷେତ୍ର ଯୁଦ୍ଧ..!
ଲାଲ୍ ମାଟିରେ କାନଡେରି ଶୁଣିଛି
ତ୍ୟାଗ-ଉତ୍ସର୍ଗ-ବଳିଦାନର କବର ଦିଆ
ଶତସହସ୍ର ଗୋଲାପର ଭୋଗ ଆଉ ଭାଗ୍ୟ..!!
ସେ ପଥରେ ଚାଲୁ ଚାଲୁ
କେବେ ଘୃତ କେବେ କାଷ୍ଠ
ଆଉକେବେ ଚେନାଏ ବିଶ୍ୱାସ ହୋଇ ଜଳିଛି ଅଳିକ ସପନ..!!
ତଥାପି ଜୀବନ..!
ଅପାରଗତାର ଅସ୍ତ୍ରୋପଚାର କରିଚାଲିଛି
ସଙ୍ଘର୍ଷର ଜତୁଗୃହେ
ବାରମ୍ବାର ନିରନ୍ତର..!
ପବିତ୍ରତାର ଅଗ୍ନି ପରୀକ୍ଷା ନେଉଛି
ଆଖି ଆଗେ ଟାଣିଦେଇ
ବିଶ୍ୱାସର ତିନି ଲକ୍ଷ୍ମଣଗାର..!!
ତଥାପି ଜୀବନ..!
ଦୈନନ୍ଦିନ ଟିପାଖାତାରେ ସଜେଇ ରଖୁଛି
ସୁଖ ଦୁଃଖ ଯନ୍ତ୍ରଣାର ଚଢା ଉତୁରା ଦର..!
ଖରା ଛାଇ ଲୁଚକାଳି ଖେଳ ଭିତରେ ଚୁପ୍ ଚାପ୍ ରଚୁଛି
ଗୋପନୀୟତାର ପ୍ରଣୟ ଶୃଙ୍ଗାର..!!
ତଥାପି ଜୀବନ..!
ବଞ୍ଚିବାକୁ ସ୍ୱରଟିଏ ଖୋଜୁଛି
କବିତାର ଅଙ୍କା ବଙ୍କା ପଂକ୍ତିରେ
ସାନ୍ତ୍ବନାର ଆହାକାର ଟିଏ ତୋଳୁଛି
ଗୁମାନ୍ ଗଳିର ଶବ୍ଦ ଗହଳିରେ , ଅତି ସରାଗରେ
ଖୁବ୍ ସନ୍ତର୍ପଣରେ..!!