କାମନା
କାମନା
କବିସୌରଭ ଅନୁପ ସିଂହ ଦେବ
ରାଜା ଖଡ଼ିଆଳ
ସେ ଯେ ହୋଇଛି ଅତୀତ ବହୁଦିନ ପ୍ରିୟେ !
ନୟନ ପିତୁଳା ତୁମେ ଯେବେ ଲଜ୍ଜାଭୟେ,
ପ୍ରାଣେ ମୋର ଗଲ ଲେଖି ପ୍ରଥମ ପ୍ରେମର -
ଲିପି,ଶେଷ ଚୁମା ପରେ ବିଦାୟ ବେଳାର ।
କେତେ ନବ-ବସନ୍ତର କୁସୁମ-ମଞ୍ଜରୀ
ଶୁଖି ଝଡ଼ି ଅଛି ବାତେ ସୁବାସ ବିତରି ।
କେତେ ଉଷା କରାଇଛି ସୁଧା ପାତ୍ର ଢାଳି
ମତ୍ତ ମୋତେ ।କେତେ ସନ୍ଧ୍ୟା ଯାଇଅଛି ବୋଳି
ମଧୁମୟ ଶୀତଳ ପ୍ରଲେପ ବିସ୍ମୃତିର ।
ପାହିଅଛି କେତେ ରାତି ଅସ୍ପଷ୍ଟ ରେଖାର
ସ୍ବପନ ସୁନ୍ଦର ଛବି ଆଙ୍କି ନବ ନବ ।
କିନ୍ତୁ ଯେଉଁ ଶିହରଣ ସ୍ଫୁରଣରେ ତବ
ଦେଇ ଯାଇଅଛ, ଥମି ନାହିଁ ମୋ ଅନ୍ତରେ
ଆଜି ବି ତା, ନ ଥମୁ ସେ ଜନ୍ମଜନ୍ମାନ୍ତରେ ।
ସମାପ୍ତ