କନିଆ ସାଜିଛି ଝିଅ
କନିଆ ସାଜିଛି ଝିଅ
ସୁନାଭଉଣୀ ମୋ ଯାଏ ଶାଶୁଘର
ଆଖିରୁ ଝରେଇ ଲୁହ ,
ଦୁହିତା ସେ ଦୁଇ କୁଳକୁ ହିତା ଯେ
କିଏ ତା'ର ସରି କୁହ !
ଜନମି ଏ ଘରେ ଲୀଳା-ଖେଳା କରି
ଛୋଟରୁ ଏଡୁଟେ ହେଲା ,
ଆଚାର-ବିଚାର-ଶିକ୍ଷା-ସଂସ୍କାରରେ
ସଭିଙ୍କୁ ନିଜର କଲା ।
ଫୁଲଭଳି ଫୁଟି ବାସ ବିତରିଲା
ଆଖପାଖ ଚଉପାଶ ,
ସେଇ ସୁଗୁଣରେ ରଜାପୁଅ ଜଣେ
ହୋଇଗଲେ ଦିନେ ବଶ ।
କଥାଦେଲେ ସିଏ ନିଜର କରିବେ
ଧରି-ସୁନାଝିଅ ହାତ ,
ଶୁଣି-ଆନନ୍ଦରେ କୁରୁଳି ଉଠିଲେ
ବନ୍ଧୁ,ପରିଜନ-ମିତ ।
ଆସିଅଛି ଆଜି ସେ ଶୁଭଲଗନ
କନିଆ ସାଜିଛି ଝିଅ ,
ବାପଘର ଛାଡ଼ି-ଯିବ ଶାଶୁଘର
ସଅଳ ବିଦାୟ ଦିଅ ।
ଆଜିଠାରୁ ତା'ର ବାପଘର ସୁଖ-
ସପନଟି ହେଲା ଦୂର ,
ଶାଶୁଘର ଗୋଟି ନିଜରଟି ପରା
ଇଏ ରୀତି ଦୁନିଆର ।
ସେଇ ପରିବାର ପରିଜନଙ୍କୁ ସେ
ଅତି ଆପଣାର-ମଣି ,
ବିତେଇ ଦେବ ତା' ବାକି ଜୀବନକୁ
ଆମରି ଗେହ୍ଲେଇ ରାଣୀ ।
ପରଶରେ ତା'ର ସେ ଘର ଅଗଣା
ସୁଖେ ଉଠିବଟି ହସି ,
ତା' ସୁନା ସପନ-ସତ ହେଉ ସେଠି
ଆଶୀର୍ବାଦ ଦିଅ ମିଶି ।।
ବି. ନିରୁପମା
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।