ମୋ ବୋଉ
ମୋ ବୋଉ
ସୂର୍ଯ୍ୟ ଯେବେ ହୋଇଯାନ୍ତି
ଦିଗବଳୟ ମୁହାଁ,
ମନେ ପଡେ ବୋଉ କଥା
ତା' ଅମୃତ ଛୁଆଁ ।
ନିର୍ନିମେଷ ନୟନରେ ମତେ ସିଏ
ରହିଥାଏ ଚାହିଁ,
ଫେରିବା ଟା ଡେରି ହେଲେ
ତା' ମନର ଆହଟ୍ଟ ବଢଇ ।
ସମୟର ଅବିଶ୍ରାନ୍ତ ପରିଶ୍ରମ ପରେ
ଥକେନି ସେ କେବେହେଲେ
ତା' କର୍ମ ପଥରେ ।
ଅଭାବ ସାଥୀରେ ସଦା ଯୁଦ୍ଧ କରୁଥାଏ
ନିଜେ ଭୋକିଲା ଶୋଇ ସେ
ମୋ ପେଟ ପୁରାଏ ।
ଆଉଟା ସୁନାରେ ସତେ
ତିଆରି ତା' ଦେହ
ଯେତେ ଥର ଦେଖେ ତା'କୁ
ମତେ ଲାଗେ ନୂଆ !
ସରଗୁ ସୁନ୍ଦର ମରତେ ଅମୃତ
ସିଏ ମୋ' ବୋଉର ପ୍ରେମ,
ସବୁଠାରୁ ମିଠା ତା' ଅମୃତ ଛୁଆଁ
ବୁଝି ହୁଏନି ତା' ମର୍ମ !
ମୋ ବୋଉ ପଣତ ଶ୍ରୀ ମନ୍ଦିର ନେତ
ଦିଏ ସେ ଶୀତଳ ଛାୟା,
ସେ ପଣତ ତଳେ ନଥାଏ ତ ଡର
ଆସୁ ଯେତେ ଝାଞ୍ଜି ବାଆ ।
ମୋ'ବୋଉ ମମତା ତା' ହୃଦ ନୀରବତା
ମୋ' ହୃୃଦୟ ପବିତ୍ର ଗୀତା,
ତା' ସ୍ନେହ ପରଶ ମୋ ପାଇଁ ଚନ୍ଦନ
ହୃୃଦେ ଭରେ ଶୀତଳତା !
ମଣିଷ ଜୀବନ ଷୋଳଟି ଶାସନ
ତା' କୋଳୁ ଗୋଟେ ପାଇଛି,
ତା' କୋଳ ମୋ' ପାଇଁ ଗୋପ ବୃନ୍ଦାବନ
ସେଇଠି ତ ମୋର ମୁକ୍ତି !
**ମମତା ମଞ୍ଜରୀ ଦାସ ,କଟକ**