ବର୍ଷା ବନ୍ଦନା
ବର୍ଷା ବନ୍ଦନା
ବସନ୍ତରେ ସିନା ବାସନ୍ତୀ ସୁନ୍ଦରୀ
ପଉଷେ ପଳାସ ଫୁଲ,
ଋତୁରେ ଋତୁରେ ଫଗୁଣ ଚହଟେ
ତା' ଶିରୀ ଅତୁଲ ତୁଳ ।
ବଇଶାଖୀ ବହେ ବୈଶାଖ ବର୍ଷାରେ
ଚଉଦିଗ ଜାଳିଦେଇ,
ଫଗୁଣ ଫୁଲକୁ ଫଗୁଣୀମା ବାଢେ
ବସନ୍ତ ମଳୟ ହୋଇ ।
ଶରତ ଋତୁରେ ଶାରଦୀୟ ସନ୍ଧ୍ୟା
ସୀମନ୍ତ ସିନ୍ଦୁର ସାଜି,
ଚୋରା ବାଲି ପରି ମନ ଚୋରି କରି
ତା' ପଣତ ଦିଏ ମାଜି ।
ପୂର୍ଣ୍ଣମୀ ତିଥିରେ ସୁଢ଼ଳ ସୁନ୍ଦରୀ
ଯଉବନୀ ଜହ୍ନ ଦିଶେ ,
କଳଙ୍କର ଦାଗ ଲିଭି ହଜିଯାଏ
ମୁରୁକି ମୁରୁକି ହସେ ।
ମେଘ ଦେହେ ସିନା ବିଜୁଳି ନାଚଇ
ସରମେ ଶ୍ରାବଣୀ ଭିଜେ,
ମେଘର ମଲ୍ହାରେ ମୟୂରୀ ଝଟକେ
ନବ ନୃତ୍ୟାଙ୍ଗନା ସାଜେ ।
ଶ୍ରାବଣେ ଶ୍ରାବଣୀ ଅହ୍ୟ ସୁଲକ୍ଷଣୀ
ଜଗତ ଯୌବନ ମୋହେ,
ଶୁଖିଲା ଭୁଇଁରେ ସଞ୍ଜୀବନୀ ଦେଇ
ଜୀବନର ଗୀତି ଗାଏ ।
ଯଥା ସମୟରେ ଆପଣା ଅତିଥି
ଚରମ ଆତିଥ୍ୟ ପାଏ ,
ଅନାହୁତ ବନ୍ଧୁ ସମ୍ପର୍କର ସିନ୍ଧୁ
ତଥାପି ଅଲୋଡ଼ା ହୁଏ ।
ଏତେ ସବୁ ଜାଣି ତୁ ବରଷା ରାଣୀ
ଅସମୟେ ପାଦ ଦେଲୁ,
କାହିଁକି କେଜାଣି ଦୁଃଖ ତୁ ପାଇଲୁ
ମୋତେ ବି ଦରଦ ଦେଲୁ ।
ରୁହ ଲୋ ବରଷା କରିଥା’ ଭରସା
ଆସିବୁ ତୁ ଆଷାଢ଼ରେ,
ଶୁଭ କଳସୀରେ ମଙ୍ଗଳ ମନାସି
ବନ୍ଦାଇବି ଗୀତି ସୁରେ ।
ସେ ଗୀତିରେ ଥିବ ପ୍ରଶଂସା ବିଭବ
ସଂସାର ସୁଖ ସପନ,
ଗୀତ ଛନ୍ଦେ ଛନ୍ଦେ କଲ୍ୟାଣ କରିବୁ
ସୁଖୀ ହେବେ କୋଟି ଜନ ।