ରୀତି
ରୀତି
ଚାପା ଚାପା କୋହ ମୋର କବିତା ବୁକୁରେ
ଫିକା ଫିକା ଓଠରେ ମୋ ଅକୁହା ବେଦନା
ସପନ ରାଇଜରୁ
ମନ୍ଦ ମନ୍ଦ ପବନରେ ଭାସିଆସେ
ପ୍ରେମ ଓ ପ୍ରତିଶୃତିର ମହମହ ବାସନା ।
ସାଗରର ଫେନିଳ ବୁକୁରେ
ଆଜି ରୂପେଲି ଜୁଆର
ଦୂର ଦିଗ୍ବଳୟେ
ମେଘ ମଲ୍ହାରର ଲୁଚକାଳି ଦରବାର
ମତୁଆଲା କରିଯାଏ
ଜଗାଏ କ୍ଷଣିକ ଉନ୍ମାଦନା
ହୁଏ ପ୍ରତୀତ
ହେଲେ ମୁଁ ଜାଣେ ଏହା ଛଳନା ଭରା ଉପସ୍ଥାପନା
ନୁହେଁ ସତ
ନା କି ମିଛ ।
ଉଲ୍ଲସିତ କଇଁ
ନୂଆ ବୋହୁଟିଏ ପରି ଯାଏ ଲାଜେଇ
ଜହ୍ନ ଉଙ୍କିମାରେ ବଉଦ ଭିତରୁ
ଲାସ୍ୟମୟୀ ର ଅତୁଟ ଭାବ ପ୍ରୀତିରେ
ଚିର କାଳ ଲାଗି ହଜି ଯିବାପାଇଁ ।
ଯଦି ପୀରତିର ଇଏ ଗାଥା
ଅଦୃଶ୍ୟ ମିଳନର ଚିର ନିଦର୍ଶନ
ଏହି ରୀତି
ତେବେ କାହିଁକି ତରସେ ଅମାନିଆ ମନ
ଟୋପାଏ ସାନିଧ୍ୟ ଲାଗି ?
କାହିଁକି ଭାବେ ମୁଁ ...ସବୁ କିଛି ଆଜି
ଅକୁହା ବେଦନାର ଗୀତି ?