ସ୍ୱପ୍ନଭଙ୍ଗ
ସ୍ୱପ୍ନଭଙ୍ଗ
ଯିବାର ଥିଲା ରାତି ପାହିଯିବା ପୂର୍ବରୁ,
ପାପ ଓ କଳଂକର ଇତିହାସକୁ ହଜେଇ ଦେଇ
ଗହନ ଅନ୍ଧାରର ମୂଲକୁ ଭିତରେ,
ଶାନ୍ତ ସକାଳରେ ଶ୍ୱେତବସ୍ତ୍ର ପରିହୀତା
କେହିଜଣେ ଉଠି ଯିବାର ଥିଲା ରାଜ ରାସ୍ତାକୁ
ଗାଇ ଗାଇ ଶାନ୍ତିର ମନ୍ତ୍ର;
ତା’ର ଚକ୍ଷୁରେ ବନ୍ଧା ପଡନ୍ତେ ସହସ୍ର ଯୁଗର ଗମ୍ଭୀରତା ଓ ଉଦାସପଣ,
ଜ୍ଞାନାଲୋକ ସଞ୍ଝରି ଯାଆନ୍ତା
ଏପଟୁ ସେପଟ ପର୍ଯ୍ୟନ୍ତ ।
ଅନେକ ବିଶ୍ୱାସୀ ପାଦ ବେଢ଼ି ଯାଆନ୍ତେ
ସହଜେ ଲୁଟି ନେବାକୁ
ଶାନ୍ତିର ପବିତ୍ର ବାର୍ତ୍ତା ,
କିନ୍ତୁ ସ୍ୱପ୍ନ ଭାଙ୍ଗିଗଲା ଶିଳା ଖଣ୍ଡ ପରି
ଆଶା ସବୁ ମିଳେଇ ଗଲା କାକର ବୁନ୍ଦା ପରି
ପତନରୁ ଉତ୍ଥାନ ଦିଗେ ଯାଉ ଯାଉ ସ୍ୱପ୍ନ ମନସ୍କ, ଆତ୍ମମଗ୍ନ ପୁରୁଷର
ଥରିଗଲା ହସ୍ତ, ପଦ, ହୃଦୟ ।
କଳଙ୍କର କାଳିମା ଭିତରେ ବନ୍ଦୀ ସେ
ପାପର ରଙ୍ଗୀନ୍ ମାୟାରେ
ତା'ର କଣ୍ଠସ୍ୱର ଶୁଭୁଥିଲା ବିଳାପର ଧ୍ୱନିପରି;
ପୁରୁଣା ପରିଚୟଟେ ବେଢ଼ିଥିଲା ତା'ର ତମାମ୍ ଦେହ ଓ ମନକୁ ।।