ଭଗବାନ ଛୁଟିରେ ଅଛନ୍ତି
ଭଗବାନ ଛୁଟିରେ ଅଛନ୍ତି
ବିଶ୍ୱାସର ସେତୁବନ୍ଧ ଦେଇ,
ସ୍ନେହ ମମତାର ମୀନାରଟିଏ
ଗଢିଦେଇଥିଲି ଅଜାଣତରେ,
ଅଯାଚିତ ଭାବରେ ଯାଚି ଦେଇଥିଲି
ଶ୍ରଦ୍ଧା ଓ ମମତାର କରୁଣା ରେଣୁ।
ବିନା କୌଣସି ସମ୍ପର୍କର ଆଶା ନରଖି
ଅବା ଭ୍ରାତୃପୁତ୍ର,ବନ୍ଧୁ କି ଆଉ କିଛି।
ହେଲେ, ସମ୍ପର୍କ କଣ ଏତେ ଶସ୍ତା।
ଛଳନାର କାବୁକରି,
ଅବିଶ୍ୱାସ ରୂପକ ମାୟାଜାଲରେ ଛନ୍ଦି
କାର୍ଯ୍ୟ ହାସଲ କରି
ନିଜ ରାସ୍ତା ନିଜେ ବାଛିନେଲ।
ଏତେ ସ୍ଵାର୍ଥପର କାହିଁକି,
ହେଲେ ଏତେ ପରେ ବି
ଏ କଳିଯୁଗର ମହାନାୟକ
ଚୁପ୍ କାହିଁକି?
ଦାନର ପ୍ରତିଦାନରେ ତ କିଛି ଆଶା
ଆକାଂକ୍ଷା ନ ଥିଲା,
ତିଳତିଳ ହୋଇ ଜଳିଜଳି
ଆଲୋକିତ କରିଥିବା
ମହାନ ଦୀପଟିକୁ ଏତେ ନିନ୍ଦା କାହିଁକି
ସତ୍ୟ,ନ୍ୟାୟ ,ଧର୍ମ ବୋଲି ଏ
ଜଗତରେ କଣ କିଛି ନାହିଁ?
ଏତେ ପରେ ବି ଏ କଳିଯୁଗର
ମହାନାୟକ ଚୁପ୍ କାହିଁକି?
ଦୋଷୀ ଜଣେ,
ଦଣ୍ଡ ମିଳେ ଆଉ ଜଣକୁ?
କଣ ଭଗବାନ ଛୁଟିରେ ଅଛନ୍ତି?
ଧର୍ମ, କର୍ମ ଅଧର୍ମ ଅନ୍ୟାୟ
ତାଙ୍କ ନଜରକୁ ଆସୁନାହିଁ।
ବୋଧହୁଏ ସେଥିପାଇଁ
ଝାଉଁ ବୁଦା ଆଡୁ ଚାପା ଗୁଞ୍ଜରଣ
ରହିରହି ଶୁଭୁଛି,
ମହତ ଦାନର ପ୍ରତିଦାନରେ
ନିରୀହ ନିଷ୍ପାପ କଳିକା ଟିକୁ
ବଳୀଦେଇ ବାହାବାହା ନେଉଥିବା
ମହାମନୀଷି ମାନେ ଶୁଣ।
ଏବେବି ଧରମା କାନ୍ଦୁଛି,
କହୁଛି, କେହି କିଛି କରିପାରିବନି,
କାରଣ ଭଗବାନ ଛୁଟିରେ ଅଛନ୍ତି।
ବଡ଼ଦାଣ୍ଡରେ ରକ୍ତପାତ, ଦୁଷ୍କର୍ମ ର
ଅନୀତି, ଦୁର୍ନୀତିର ଫର୍ଦ୍ଦ ଭର୍ତ୍ତି,
ମହାବାହୁ ଦର୍ଶନ ପାଇଁ
କେତେ ସାଲବେଗ ଅଶ୍ରୁଳ ନୟନରେ
ଚାତକ ପରି ଚାହିଁ ରହିଛନ୍ତି।
ମୁଠାଏ ଅଭଡ଼ା ପାଇଁ ବଡ଼ଦାଣ୍ଡରେ
ଗହଳଚହଳ ଲାଗିରହିଛି।
ହେଲେ ସତରେ କଣ ;
ଭଗବାନ ଛୁଟିରେ ଅଛନ୍ତି?
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ବାଲେଶ୍ଵର