ଦୁଇଟି କବିତା
ଦୁଇଟି କବିତା
।।ଏକ।।
ଉଆସକୁ ଚାଲ ଫେରି
ଘେନାକର ମୋର ଏଇ ଉପହାର
ସାଦରେ ହେ ମହାମନା ,
ତବ ଦରଶନ ପାଇ ଏତେ ଦିନେ
ହୋଇଗଲି ଆଜ ଧନ୍ୟା ।
ଯେଉଁଦିନ ଠାରୁ ପତ୍ନୀ ପୁତ୍ର ତେଜି
ସାଧନା ପଥରେ ଗଲ ,
ସେଇଦିନୁ ମୋତେ ରାଜ ସୁଖ ଶିରୀ
ଲାଗିନାହିଁ ଦିନେ ଭଲ ।
ତୁମରି ଫେରିବା ପଥ ଚାହିଁ ଚାହିଁ
ରହିଅଛି ଦେହଧରି ,
ଏବେ ତ ଆସିଲ ତଥାଗତ ସାଜି
ଉଆସକୁ ଚାଲ ଫେରି ।
ଭିକ୍ଷା ପାତ୍ର ଧରି ଘୂରି ବୁଲୁଅଛ
ଯାତନା ଭୋଗୁଛ ଘୋର ,
ଚଳ ମୋ ସାଥିରେ ସ୍ୱାଗତ ପାଇଁକି
ପ୍ରସ୍ତୁତ ଏ ରାଜପୁର ।।
***
।।ଦୁଇ।।
କାମନା ବାସନା ଶୂନ୍ୟ
ଯେଉଁ ରାଜସୁଖ ତୁଚ୍ଛ କରି ମୁହିଁ
ସାଧନା ମାର୍ଗରେ ଗଲି ,
ସେଇ ପ୍ରଲୋଭନ ଦେଖାଉଛ ଭଦ୍ରେ
କେବେଠୁ ଯା' ଅଛି ଭୁଲି ।
ଚାହିଁ ଦେଖ ମୋତେ ଚିର ପ୍ରଶାନ୍ତ ମୁଁ
କାମନା ବାସନା ଶୂନ୍ୟ ,
ଦୁଃଖ-ଶୋକ ଆଉ ଉଦବେଗ ଯେତେକ
ମୋ ପାଶେ ପ୍ରଭାବ ହୀନ ।
କାମନାଟି ଅଟେ ଦୁଃଖର କାରଣ
ମୋହ ମାୟା ପରା ଅରି ,
ଏମାନଙ୍କୁ ଯିଏ ଆୟତ କରିବ
ତା' ଯାତନା ଯିବ ସରି ।
ଅବତରିଛି ମୁଁ ଧରଣୀ ବକ୍ଷରେ
ଧର୍ମର ସ୍ଥାପନ ପାଇଁ ,
ତେଣୁ ଗୋ ସୁଶୀଳେ ରାଜସୁଖ ଭୋଗେ
ତିଳେ ମୋ ଆଗ୍ରହ ନାହିଁ ।।
***
ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।