ନାରୀ
ନାରୀ
ନରୀ ତୁମେ ଦିବ୍ୟ ଜ୍ୟୋତି
ସଦା ଝଲମଲ
ମାଟି ଅଗଣାରେ ତୁମେ
ସୁବାସିତ ଫୁଲ ।।
ଚାନ୍ଦର ଚାନ୍ଦିନୀ ତୁମେ
କମନୀୟ କାନ୍ତି
କାକର ବିନ୍ଦୁ ରେ ତୁମେ
ଶୁଭ୍ର ଶୀତ ରାତି ।।
ମେଘର ମହ୍ଲାର ତୁମେ
ସ୍ବଚ୍ଛ ଫଲ୍ଗୁ ଧାର
ଫଗୁଣର ଫଗୁ ତୁମେ
କୋକିଳର ସ୍ବର ।।
କେତେବେଳେ ମରୁବାଲି
କାଳ ବଇଶାଖୀ
ମେଘ ମେଦୁରିତ ଭବେ
ନୃତ୍ୟରତା ଶିଖୀ ।।
ଫୁଲ ର ପାଖୁଡା ତୁମେ
ଗୀତର ମୁଖୁଡା
ମଧୁ କୁଂଜବନ କେବେ
ସ୍ମୃତି ର ଟୁକୁଡା ।।
ପ୍ରେମର ସ୍ତବକ ତୁମେ
ଅଳସୀ ସୁପ୍ରିୟା
ଭିଜା ଭିଜା ସ୍ବପ୍ନ ତୁମେ
ଗୋଲାପର ଛାୟା ।।
ହୃଦୟ ର ହାରା ତୁମେ
ଗଭାର ଗଜରା
ରାତିର ରଜନୀଗଂଧା
ପ୍ରଣୟ ପସରା ।।
କେତେବେଳେ ପ୍ରୀତିମଗ୍ନା
ପ୍ରୀତି ଭରା ନଈ
କେତେବେଳେ ଘନ କୃଷ୍ଣ
ତମିସ୍ରା ର ଛାଇ ।।
ଜ୍ବଳାମୁଖୀ ଦୀପଶିଖା
ଅଶାନ୍ତ ଅନଳ
ବିନାଶକାରିଣୀ ପୁଣି
ସୃଷ୍ଟି ଶତଦଳ ।।
ସ୍ବୟଂସିଦ୍ଧା ସମର୍ପିତା
ଚିର ଶ୍ରୀମନ୍ତିନୀ
ସାଧନର ସିଦ୍ଧି ତୁମେ
ପୁଣ୍ୟ ବୈତରଣୀ ।।
ବିଶ୍ବରୂପା ତପସିଦ୍ଧା
ବିସ୍ତାରିତ କାୟା
ଜନନୀ ଭଗିନୀ ଜାୟା
ତୁମେ ପୂଣ୍ୟତୋୟା ।।