ଅନ୍ଧକାର
ଅନ୍ଧକାର
ଚତୁଃର୍ଦିଗ ମେଂଚା ମେଂଚା ବହଳ ଅନ୍ଧାର
କେଉଁ ଏକ ଆଦିମ କାଳରୁ ଅଦ୍ୟାବଧି
ପରିବ୍ୟାପ୍ତ ମାଟିରୁ ଆକାଶ
ଜନ୍ମ ରୁ ମୃତ୍ୟୁ
ପାପରୁ ପୁଣ୍ୟ ।।
ଆଲୋକର ଯେତେ କୃତ୍ରିମ ରଂଗୀନ ଆବରଣ
ଧୋଇ ପାରିବନି ଅନ୍ଧାର ର କଳାଛିଟା
ଅନ୍ଧାର ର କଳା ବାଦଲ
ଢାଙ୍କିଛି ଯେ ଢାଙ୍କିଥିବ
ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ
ଲମ୍ବିଥିବ ବର୍ଷା ରୁ ବସନ୍ତ
ଗ୍ରୀଷ୍ମ ରୁ ଶୀତ ।।
ଅନ୍ଧାର ରୁ ଜ୍ୟେତି ବିଛୁରିତ
ସଚରାଚର ବିଶ୍ବ ବ୍ରହ୍ମାଣ୍ଡ ସୃଷ୍ଟି
ଅନ୍ଧାର ବିନା ଆଲୋକ ପ୍ରକଟ
ଏକ ନିଷ୍ଫଳ ପ୍ରୟାସ
ଏକ ଉଦ୍ଭଟ ଚିନ୍ତନ ।।
ଜୀବନର ପ୍ରସ୍ଫୁଟିତ ଜ୍ୟୋତିଷ୍ମାନ ଦିଗ
ଅନ୍ଧାର ଓ ଆଲୋକ
ଛାଇହୋଇ ରହିଥାଏ
ଏନ୍ତୁଡିଶାଳରୁ ଶ୍ମଶାନ ଯାଏ
ରକ୍ତର ପ୍ରତିଟି ବିନ୍ଦୁ ରେ
ପ୍ରତିଟି ନିଶ୍ବାସ ଓ ପ୍ରଶ୍ବାସ ରେ
ଅନ୍ଧକାର, ମହାନ୍ଧକାର
ଢାଙ୍କିଥାଏ ସଂପୂର୍ଣ୍ଣ ଅବୟବ ।।
ଦୀପର ଜ୍ବଳନ୍ତ ପ୍ରଖର ଶିଖା
ଭଟ୍ଟା ପଡିଯାଏ କାଳର ପ୍ରଖର ସ୍ରୋତରେ
ସବୁ ଆଦିମତା ମୁଣ୍ଡ ଟେକେ
ମହଣ ମହଣ ମହମ
ନିଗିଡି ପଡେ ଥପ୍ ଥପ୍
ତଥାପି ରହିଥାଏ ଅନ୍ଧକାର
ଠିକ୍ ଆଗ ଭଳି
ପରସ୍ତ ପରସ୍ତ
ଯେମିତି
ସୃଷ୍ଟି ର ଆରମ୍ଭ ଦିନ କବଳିତ ହୋଇଥିଲା
ମହାନ୍ଧକାରେ ।।
ଆଧୁନିକତା ର ଯେତେ ଝଲମଲ ପ୍ରଲେପ
ଅହଙ୍କାରର ସକଳ ସ୍ପର୍ଦ୍ଧିତ ଦିଗ
ଅନ୍ଧକାର ର ପ୍ରସାରିତ ବଳୟ ରେ
ଆବଦ୍ଧ ଓ ସୁନିୟନ୍ତିତ
ପ୍ରଳୟର ଘୂର୍ଣ୍ଣନ ରେ
ଏକାନ୍ତ ଅସହାୟ ।।
ଅନ୍ଧାର ହିଁ ସତ୍ୟ
ଅନ୍ଧାର ହିଁ ନିତ୍ୟ
ଅନ୍ଧାର ହିଁ ଜୀବନର ଭିନ୍ନ ଏକ ରୂପ
ଇତିବୃତ୍ତି ,ଆଦିମୂଳ ,
ଦିବ୍ୟ ଦର୍ଶନ ର ଆଧାର
ପ୍ରଳୟର ଅନ୍ତଃସ୍ବର
ସୃଷ୍ଟି ର ସମ୍ମୋହନ
ଏକ ଅନୁଚାରିତ ସ୍ନିଗ୍ଧ ମନ୍ତ୍ର ।।
------------------
ଶରତ କୁମାର ଦାସ
ବଡବିଲ ମହାବିଦ୍ୟାଳୟ,ବଡବିଲ।