ଅନନ୍ୟା
ଅନନ୍ୟା
ଶୁଣୁଛକି ତୁମେ!
ମୋର ଆଉ ମରି, ଶେଷ ହୋଇଯିବାର ଇଛା ନାହିଁ ।
ବଞ୍ଚିବାର ଆଗ୍ରହ,
ତୁମର ଅନାଗ୍ରହ ଠାରୁ ଅଧିକ ବଳିପଡ଼ିଲାଣି ।
ବିଧୁ ପାଖେ ବାରମ୍ବାର ପାଉଁଶ ହେବା ପାଇଁ ମିନତି ପରେବି
ମୋର, ଜମା-ମରିବାର ନାହିଁ ।
ବିଶ୍ବାତ୍ମାଠି ମୁଣ୍ଡ ଥାପି,
ହାତ ଯୋଡ଼ି ଦେଲେ, ଆଖି ମିଳିବାର ଦ୍ୱିଧା ।
ପ୍ରହାର ପରେ ପ୍ରହାର ଆତ୍ମା ରେ,
ହତାଶର ସାଗର ଡେଇଁ
ମାଡି ଚାଲିଛି ଆଗକୁ ,ଆଗକୁ
ପୃଥିବୀ ଛାଡି ଏବେ ପରା ଦୀପାବଳି ର ସମାରୋହ ମହାଶୂନ୍ୟରେ......
ଏବେ ମୁଁ ବୁଝୁଛି ମୋ ବଞ୍ଚିବାର କାରଣ ।
ନିର୍ଗୁଣ ବ୍ରହ୍ମ ମୋତେ ଧରିରଖିବାର।
ଏତେ ଅନୁରୋଧ, ଧ୍ବଂସ ହେବାର ପ୍ରାୟଶଃ ପରେବି,
ମରୁଭୂମିରେ ବନାନୀର ସୃଜନ।
ପଥୁରିଆ ନଣ୍ଡା ପାହାଡ଼ରୁ
ଝରିଆସେ ତନ୍ମୟା ତଟିନୀ
ଫୁଲରେ ଫୁଲରେ ମୁଁ ଫୁଟୁଛି ରେଣୁ ହୋଇ
ଚଉଦିଗେ ନବ ସୂର୍ଯ୍ୟ ର ସନ୍ଦେଶ।
ତେଣୁ ତୁମେହିଁ କୁହ !
ନୁହେଁ କି ମୁଁ "ଅନନ୍ୟା" -
ପଳାଶ ଆଗାମୀ ଦିନର ?