ଭୟ
ଭୟ
ଛୁଇଁବ ଯଦି ଛୁଅଁ ଥରେ
ଯେମିତି ଛୁଇଁ ଥିଲ
ଛବିଳ ମଧୁବର୍ଣ୍ଣ ବୋଧ
ଖଡିଛୁଆଁ ବେଳେ
ନିଷ୍ପାପ ହୃଦରେ,
ମୁଠାରୁ ବାରମ୍ବାର ଖସି ପଡୁଥିବା ଖଡି
ଯେମିତି ଯାବ ପଡୁଥିଲା
ତମ କୋମଳ ହାତର ଶକ୍ତ କୋରକ ରେ
ଖଡି ବି' ନିଶ୍ଚଳ ଭୟର ମୁଦ୍ରା ରେ ।
ଏବେ କିନ୍ତୁ ଭୟାତୁର ତମେ
ନଈରେ ସ୍ନାନ ପାଇଁ ଉଚ୍ଚାଟ ମନ
ଅଧା ତୁଠରେ ଅଟକି ଯାଉଚି
ଅଧିର ପାଦ ଓ ଆତୁର ଜୀବନ,
ପାଣି ଭିତରେ କୁମ୍ଭୀର ର ଭୟ
ଆଶଙ୍କାରେ ଆତଙ୍କିତ
ଅବସାଦେ ଜର୍ଜରିତ
ପ୍ରେମ ପାଇଁ ଉତ୍କଣ୍ଠିତ ଉତ୍ତଳା ଯୌବନ
ଦେହର ପ୍ରସ୍ତୁତି ପାଖେ ମନର ପ୍ରସ୍ଥାନ ।
ସଜନୀ ଗୋ ! ତମ ପାପ ତମକୁ ଖାଉଚି
କୁମ୍ଭୀର କାନ୍ଦଣା ଯାହା ଆଖି ଭିଜଉଚି,
ମିଛ ପାପ ଶୂନ୍ୟ ଭୟ
ଶୂନ୍ୟେ ଶୂନ୍ୟେ ହୁଙ୍କାର ତୋଳୁଛିି ।
ଛୁଆଁ ଛୁଇଁ ହେବା କଥା
ବିଧିର ବିଧାନ,
ପ୍ରେମ ଏକ ଜାଗରଣ
ନୁହେଁ କା'ର ମର୍ଜ୍ଜି ଅନୁଦାନ ।
ଛୁଇଁବ ଯଦି ଛୁଅଁ ଥରେ
ଦେହମନ ଏକାକାର କର
ପ୍ରେମ ପାଇଁ ଦେହଟିକୁ ଅସାର ନକର,
ଅସ୍ଥିର ଭାବନା ସବୁ ଚିତ୍ତ ର ବିକାର ।
ଏବେ ପବନରେ ଗଣ୍ଠି ପଡିବାର ବେଳ
ତମର ଶକ୍ତି କେତେ
ପବନଠୁଁ ମାଗୁଛ ମେଲାଣି
ବୋହିଯାଉ ପବନ ତା' ନିଜ ଅସ୍ତିତ୍ବରେ ,
ମିଳନ ବି ଛନ୍ଦ ତୋଳୁ
ପାପ ଶୂନ୍ୟ ଭୟ ଶୂନ୍ୟ
ନିସର୍ତ୍ତ ଶବ୍ଦରେ
ନାଦ ଶୂନ୍ୟ ଓଁକାର ଧ୍ବନି ରେ ।।
ଶ୍ରଦ୍ଧା ର ସହ
ଭକ୍ତ ଚରଣ ମଲ୍ଲ
ନେମ୍ବରା, କେନ୍ଦ୍ରାପଡା ।
30th August 2018.