ଆସ ନିଆଁ ପୁଇଁବା
ଆସ ନିଆଁ ପୁଇଁବା
ଗ୍ରୀଷମ ବରଷା ଶୀତ ତିନି ଋତୁ ଅତି ନିଦାରୁଣ ପରି
ବରଷା ଖରାକୁ ଛତା ଶୀତ ଦିନେ ପଶମ ଘୋଡାଇ କରି ।
ଧନୀକ କରନ୍ତି ଉପଶମ ସିନା ଗରିବ ଲୋକଙ୍କ ପାଇଁ
ହାଡଭଂଗା ଶୀତ ଉପଶମ ପାଇଁ ଭଲ ପନ୍ଥା କିଛି ନାହିଁ ।
ନିଆଁ ପୁଇଁବାକୁ ଜାଳକାଠ କିଛି ଯୋଗାଡ କରି ଜତନେ
ଏକାଠି ହୁଅନ୍ତି ନିଆଁ ଚାରିପଟେ ଘରେଘରେ ଶୀତ ଦିନେ ।
ଗପଶପ ସେଠି ଜମିଯାଏ ଟିକେ ଉପଶମ ହୁଏ ଶୀତ
ଠକଠକ ଖନି ବାଜିଯାଏ ପାଟି ତଥାପି ଗାଆନ୍ତି ଗୀତ ।
ରାମ ଲଇକ୍ଷଣ ଗଲେ ମୃଗ ମାରି ସୀତାଙ୍କୁ ଛାଡି କୁଟୀରେ
ଲଂକାର ରାବଣ ମାୟାବୀ ଭିକ୍ଷାଶୀ ହରିଲା ତାଙ୍କୁ ଅଚୀରେ ।
ପରିବାର ଜନେ ଅଡିଶା ପଡିଶା ଏକାଠି ବସିବା ମଜା
ନିଆଁ ପୁଆଁ ଏକ ଅଭିନବ ଶୈଳୀ ନାତିକୁ ଡାକଇ ଅଜା ।
ଗୃହିଣୀ ତା ମଧ୍ୟେ ଚା' ଟିକେ ଦେଇ ଆସର ଜମାନ୍ତି ଭଲ
ଅବୋଧ ଶିଶୁଙ୍କୁ କୋଳରେ ପୁରାଇ କରୁଥାନ୍ତି ଟିକେ ଗେଲ ।
ନିଆଁ ଲିଭିଗଲେ ଯିଏ ଯାହା ବାଟେ କର୍ମ ଆଦରି ଯାଆନ୍ତି
କର୍ମ ବିନା ଦରିଦ୍ରର ମୁକ୍ତି କାହିଁ ବର୍ଷା ଶୀତ ଖରା ତାତି !!
-ବିଶ୍ୱେଶ୍ୱର ମାଝୀ-