କବିତା ଓ କଙ୍କାଳ
କବିତା ଓ କଙ୍କାଳ
କୁଞ୍ଜବିହାରୀ ଦାଶ
ବିଜନ କୁଟୀରେ ବସି ଲେଖଇ କବିତା
ଆସି କାହିଁ ଭାସିଯାଏ ଚିନ୍ତା ପରେ ଚିନ୍ତା
ଗୁନ୍ଥି ଯାଏ ଗୋଟି ଗୋଟି ମାଳାକାର ସମ
ଅନାୟାସେ ଧରା ଦିଏ ଛନ୍ଦେ ଯେହୁ ମମ।
ଏକାଳେ ଭିକାରୀ ଆସି ଆରମ୍ଭିଲା ଗୀତ
ଚିତ୍ତ ହେଲା ବିଚଳିତ ଭାବ ଅସ୍ତମିତ।
ଆସୁଥିଲା ଯେ ନିକୁଞ୍ଜ ସରାଗେ ବଉଳି
କଙ୍କାଳର କୋଳାହଳେ ପଡ଼ିଲା ମଉଳି।
ଗରଜିଲା କଟୁଭାଷେ କ୍ରୋଧେ ହତଜ୍ଞାନ
କଙ୍କାଳ କରୁଣ କଣ୍ଠେ ଛିନ୍ନ ହେଲା ଗାନ
ବିରାଗେ ମଳିନ ମୁଖ ଆଖି ଛଳ ଛଳ
ଫେରାଇ ସେ ଭାବିଲି ମୁଁ କେଡ଼େ ସ୍ୱାର୍ଥପର।
ତା’ ପରେ ବୋଇଲି ଗାଅ ଗାଅରେ ଭିକାରୀ
ଶୁଣାଇଛି, ଶୁଣିବାର ଆଜି ଅଧିକାରୀ
ତୋ’ ଜୀବନ ମୋ’ କବିତା ଏକା ଉପାଦାନେ
ଗଢ଼ା ଯେଣୁ ପୂଜେ ତେଣୁ ଅତି ସନମାନେ।
କଙ୍କାଳ ଗାଆରେ ଗୀତ କବିତା ବିଷ୍ଫଳ
ସମ୍ବଳ ନ କରେ ଯଦି ତୋର ଅଶ୍ରୁଜଳ।
ସମାପ୍ତ