ତୁମକୁ
ତୁମକୁ
ଦର ଆଉଜା କବାଟ ପାଖରେ
ନିରବରେ ଘଣ୍ଟା ଘଣ୍ଟା ଧରି ଠିଆ ହେବା
ଆଉ କବାଟରେ ଆଘାତ ନକରିବା
ଭୟ ନା ତୁମର ସାହସ
ତାକୁ ମୁଁ ଠଉରେଇ ପାରେନା,
ଅବିଚଳିତ ମୋତେ ଶୁଣିବା ଓ
ସବୁତକ ଲୁହକୁ ମୋର ଦମ୍ଭ ବୋଲି ଗଣିବା
ମୋ ପ୍ରତି ଯଥାଯଥ ସମ୍ମାନ ନା
କେବଳ ମାତ୍ର ସମବେଦନା
କେବେ ଆକଳନ କରିପାରେନା,
ତମ କଥା ସବୁ ବେଦ ବାକ୍ୟ
ତମ ଶବ୍ଦ ମୋକ୍ଷ ପ୍ରାପ୍ତିର ବାଟ
ଅସାମାଜିକ ନୁହେଁ ତୁମେ
ଅନ୍ତଃ ଯାତ୍ରାର ଏକ ଅନନ୍ୟ କବାଟ ।
ମୁଁ ପିମ୍ପୁଡି ଭଳି ନାକ ଡେରେ
ଠେକୁଆ ପରି କାନ
ରାଧା ହେଇ ରହିଯାଏ କେଇକ୍ଷଣ
ଶ୍ୟାମ ନୁହେଁ ତମେ
ଯଦିଓ ଆମ ସମ୍ପର୍କ ଅମ୍ଳାନ ।
ବେପରୁଆ ହସି ଦିଅ
କୋହ ସବୁ ଢୋକି ଦିଅ
ମାଟି ହେଇ ଭେଦି ଯାଅ
ପୁଣି ପବନକୁ ଆଖି ମାରି
ନିଜ ଠାରୁ ଫିଟି ଯାଅ...
ତମେ ବଞ୍ଚିବାକୁ ପରିଚୟ ମାଗ
ମୁଁ ମାଗେ ଜୀବନ
ତମେ ଜିଇବାକୁ ବାହାନା ଖୋଜ
ମୁଁ ଖୋଜୁଥାଏ ସପନ
ତମେ ନିଜେ ଅମୃତ ପାଲଟିଲାବେଳେ
ଅମୃତ ତକ ମୁଁ କିନ୍ତୁ
ଅଣ୍ଟିରେ ମୋ ସାଉଣ୍ଟି ପାରେନା ।