କଳା ଛାଇ
କଳା ଛାଇ
ସମୟ ଖେଳୁଥିଲା ଲୁଚକାଳି
ଢେଉମାନେ ପିଟିହେଉଥିଲେ
ନିରୋଳାରେ
ଅନ୍ଧକାରର ଖାଁ ଖାଁ ଶବ୍ଦ
ଆଗକୁ ମାଡିଆସୁଥିଲା ,
ଶୀତୁଆ ପବନର
ସାଇଁ ସାଇଁ ମୂର୍ଚ୍ଛନାରେ
ଶିରି ଶିରି ଦେହ ମନ ,
ସନ୍ଧ୍ୟା ର ବହଳିଆ ଆବରଣ ତଳେ
ରାତିର ବୟସ ବଢି ଚାଲିଥିଲା
ବିଂଚିହୋଇ ପଡିଥିଲେ ତାରା ଫୁଲମାନେ
ଆକାଶର ଅଗଣାରେ ,
କିଚିରି ମିଚିରି ବିହଙ୍ଗ କାକଳି
କେତୋଟି ବୁଲା କୁକୁରଙ୍କ ପଇଁତରା
ସତେ ଯେପରି ଚିତ୍କାର କରି
ଜୀବନର ତତ୍ତ୍ଵ କହୁଥିଲେ ।
ଅନେକ ଚେଷ୍ଟା କରୁଥିଲି ନିଜକୁ
ବୁଝାଇବା ଓ ବୁଝିବା ପାଇଁ
ଜୀବନର ଫୁଙ୍ଗୁଳା ଲମ୍ବା ରାସ୍ତାଟା
ଧାଉଁଥିଲା ଠିକ୍ ଏକ ଚଳନ୍ତା ରେଳଗାଡି ଭଳି,
ଫାଟକ ଜଗୁଆଳୀଟିଏ ହୋଇ
ଲମ୍ବା ହୁଇସିଲ୍ ମାରୁଥିଲି ବାରମ୍ବାର
ହସୁଥିଲି ପୁଣି କାନ୍ଦୁଥିଲି ,
ପାଣିଚିଆ ଜହ୍ନ ଆଲୁଅରେ
ଠିକ ଭାବେ ଚିହ୍ନି ପାରୁନଥିଲି
କାହାର ସେ କଳା ଛାଇ
କାହାର ସେ ବିକଟାଳ ହସ
ଆଉ କାହାର ସେ ସୁଁ ସୁଁ କାନ୍ଦ
ଶରୀର ନା ଅଶରୀର
ଆତ୍ମା ନା ପ୍ରେତାତ୍ମା
ପୁରୁଷ ନା ସ୍ତ୍ରୀ
କେତେ ଲମ୍ବା ତା' ହାତ
ନିମିଷକେ ଡାଙ୍କିଦେବ
ଜଳ-ସ୍ଥଳ-ଆକାଶକୁ
ଗିଳିଦେବ ସୂର୍ଯ୍ୟଙ୍କୁ
ଜାଳିଦେବ ସଚରାଚର ବିଶ୍ଵକୁ
ସବୁଜ ବୃକ୍ଷ ପତ୍ର ଝଡା ହୋଇଯିବ
ଅଦିନ ଝଡରେ,
କେବଳ ତତଲା ନିଶ୍ଵାସ କେତୋଟି
ଘୂରି ବୁଲୁଥିବ ମାଟିରୁ ଆକାଶ
କ୍ଷତାକ୍ତ ଓ ଯନ୍ତ୍ରଣାକ୍ତ ହୋଇ
ପୁନଶ୍ଚ
କଳା ଛାଇରୁ ମୁକ୍ତ ହେବାଯାଏ ।।
ଶରତ କୁମାର ଦାସ