ଆସ ପ୍ରିୟ ଅଂଶୀ
ଆସ ପ୍ରିୟ ଅଂଶୀ
ମାନ କରେ ସିନା ଭାବନାର ବିନା
ହୁଏ କି ଶବ୍ଦତନ୍ତ୍ରଣ
ତାନେ ଅଭିଳାଷ ମୂରଲୀ ହେ ଆସ
ଓଷ୍ଠେ ଭରା ନିମନ୍ତ୍ରଣ ।
ନଆସିଲେ ତୁମେ ଏକା ରାସଭୂମେ
ଗାଇ କି ପାରିବି ଗୀତ
ଛାଡିଯାଏ ଶ୍ବାସ ସାଥେ ମୋ ବିଶ୍ୱାସ
ସୁର ସଜାଅ ହେ ମିତ ।
ସେ ଧ୍ବନିଦର୍ପଣ କର ହେ ଅର୍ପଣ
ସ୍ବରୂପେ ଦିଅ ହେ ଦେଖା
ତୁମ ସ୍ପର୍ଶ ବିନା ତୃଷାତୁର ସିନା
ହେଲାଣି ମୋ ଭାଗ୍ୟରେଖା ।
କାହ୍ନୁ ତଟପାରେ ଥାଇ ଯେବେ ଘାରେ
ବିରହିଣୀ ରାଧା ପ୍ରାଣ
ତୁମ ବିନୁ ସାଥି ଉଦାସିନୀ ରାତି
ଭାଙ୍ଗେ ମୋ' ମନର ଟାଣ ।
ହୋଇଛି ଆହତ ଭରିନାହିଁ କ୍ଷତ
ଆଣିବ କି ନାହିଁ ଓଷ
ନିମନ୍ତ୍ରଣ ରଖି ନିଅ ହେ ପରଖି
ପରଶେ କରାଅ ତୋଷ ।
ଲକ୍ଷେବାର ଚାହିଁ କହି ପାରେନାହିଁ
ସହି ପାରେନାହିଁ ଲୁହ
ବଢେ ଆତୁରତା କେବେ ଏ ଦୂରତା
କମାଇବ ବାରେ କୁହ ।
ଆଉ କି ସହନ ହୋଇବ ଗହନ
ହେଲେ ଅପେକ୍ଷାର ପୀଡା
ଆସ ପ୍ରିୟ ଅଂଶୀ ଆସ ଆସ ବଂଶୀ
ଅନିଶାରେ ହେଲି ଛିଡା ।