ବହୁଛି ଅବନା ବାଇ
ବହୁଛି ଅବନା ବାଇ
ସନ୍ଥକବି ଭୀମ ଭୋଇ
ବହୁଛି ଅବନା ବାଇ, ଦିବାନିଶି ଏକ ହୋଇ ।
କେ ପାଇଛ ଅନ୍ତ ଆଦ୍ୟ ଚିହ୍ନି ରଖିଅଛ କାହିଁ । ଘୋଷା ।
ମହାଶୂନ୍ୟ ଶୂନ୍ୟେ ବାଟ ଅରୂପ ଅବର୍ଣ୍ଣେ ଭେଟ
ପିଣ୍ଡ ବ୍ରହ୍ମାଣ୍ଡରେ ଭେଦି ଧରି ନ ପାରିଲେ କେହି ।।
ନାହିଁ ଚେତା ହେତୁ ଦ୍ୱାରେ, ନ ଥାଇ ମନର ଭିତରେ
କାୟା ଛାୟା ମାୟା ଠାରେ କାହିଁ କିଛି ନ ଲାଗଇ ।।
କାମନା କଳ୍ପନା ଦ୍ୱାରେ ନ ମିଶେ ହେଜ ପାଞ୍ଚରେ
ତାଙ୍କୁ କେ କରିବ ଠାବ ଯାର ନାହିଁ ହାଇ ଛାଇ ।।
ନ ପଶେ ଶବ୍ଦ ଆକାରେ ଏକୌଶପୁର ବାହାରେ
ସାର ବ୍ରହ୍ମ ଏକ ପାଦ ରହିଛି ଗୁପତ ହୋଇ ।।
ସ୍ଥିତି ବସ୍ତିକୁ ରଚିଲା କେଉଁ ଭିତରେ ରହିଲା
ଯେ ତାଙ୍କୁ ଭେଟାଇ ଦେବ ତା ପାଦ ଧରିବି ଯାଇ ।।
ନ ଘେନେ ସେବା ଭକତି ଦର୍ଶନ ଭଜନ ନାସ୍ତି
କହେ ଭୀମ ଅରକ୍ଷିତ ନିଗମେ ରହିଲା ଯାଇ ।।
ସମାପ୍ତ