ଜ୍ଞାନୋଦୟ
ଜ୍ଞାନୋଦୟ
ଝଡ଼ ଚାଲିଗଲା ଉଜାଡ଼ି ସର୍ବସ୍ବ
ସଭିଙ୍କ ଆଖିରେ ଲୁହ
କାନ୍ଦି କେ'କହୁଛି, 'କିଛି ନାହିଁ ଆଉ
କେମିତି ବଞ୍ଚିବି କୁହ'।
ଜମି ବନ୍ଧା ଦେଇ ଘର ତୋଳିଥିଲା
ଦଶରଥ ଗଲାସନ,
ଟଙ୍କା ନ ସୁଝିଲେ ଗାଁ ସାହୁକାର
ହାତେ ଜମି ଗଲା ଜାଣ ।
ଆଉ ପକ୍ଷେ ପରେ ପାଣି ଲାଗିଗଲେ
ବୁଣିବେ ଚାଷୀ ବିହନ
ହତଭାଗା ସିଏ ହାରିବ ଜୀବନ
ସୁଝି ନପାରିଲେ ଋଣ ।
ମନେପଡ଼େ ତାର କେଇଦିନ ତଳେ
ଶୁଣିଥିବା ସେ ଭାଷଣ
ଅନ୍ତର ଭିତରେ ସଞ୍ଚାରି ବିଶ୍ୱାସ
ଦେଇଥିଲା ସମର୍ଥନ ।
ଖୋଜୁଛି ନେତାଙ୍କୁ କହିଥିଲେ ଯିଏ
"କରିଅଛୁ ଆମେ ପଣ
ସୁଖରେ ଦୁଃଖରେ ପାଖେ ଥିବୁ ସଦା
ପ୍ରତିଦିନ ପ୍ରତିକ୍ଷଣ ।"
ଏବେକୁ ଜାଣୁଛି, ଶୁଣିବାକୁ ମିଠା
ନେତା ମନ୍ତ୍ରୀଙ୍କ ଭାଷଣ
ଦେଖା ନଦିଅନ୍ତି ହଳଦୀ ବସନ୍ତ
ସ୍ୱାର୍ଥ ହେଇଗଲେ ପୂର୍ଣ୍ଣ ।
ଜ୍ଞାନୋଦୟ ପରେ ଦଶରଥ ଏବେ
ନିଜକୁ ନିଜେ ବୁଝାଏ
ଏବେକାର ନେତା ସଭିଏଁ ବେପାରୀ
ଗୋପବନ୍ଧୁ କେହି ନୁହେଁ ।
ଭାଷଣ ତାଙ୍କର ଭୀଷଣ ତୋଫାନ
ଭେଣ୍ଡାଙ୍କୁ ମେଣ୍ଢା ବନାଏ
ତାଙ୍କୁ ଯେ ଭରସେ ଆଣ୍ଠୁଏ ପାଣିରେ
ଭେଳା ତାର ବୁଡିଯାଏ ।
ଥରେ ସିନା ଅନ୍ଧ ହଜାଏ ଜଷ୍ଟିକୁ
ବାରମ୍ବାର କେବେନୁହେଁ
ଖଟି ସଳଖିବ ଆପଣା ଅଣ୍ଟାକୁ
ଖଟିଖିଆ ଲୋକ ସିଏ ।