ମଧୁଶାଳାର ଆସର
ମଧୁଶାଳାର ଆସର
ମଧୁଶାଳାର ଆସର
ମୁଠାଏ ବାଲୁକା ପାରିଲିନି ଧରି
ହାତରୁ ଖସିଲା ଗଳି
ରାତିରୁ ପାହାନ୍ତି ଦିନ ସରିଗଲା
ସଞ୍ଜ ଆସୁଥିଲା ଢଳି ।
କାହା ଭାବନାରେ ସମୟ କଟିଲା
ଜାଳିଉଠେ ପୁଣି ବତୀ
ମଉନ ରହିବା ଚୁକ୍ତିରେ ଖିଆଲ
ନଥିଲା ବି ନିଜ ପ୍ରତି ।
ଟେବୁଲ୍ ଉପରେ ଢାଳି ପାରେନାହିଁ
ଜକେଇ ଆସିଲେ ଲୁହ
ଜୀବନ ଯାତନା ସମାଧାନ ପାଇଁ
କାଗଜ ସମର୍ଥ ନୁହଁ ।
ପୃଷ୍ଠା ପରେ ପୃଷ୍ଠା ସୂଚନାରେ ଭରି
ସ୍ପନ୍ଦିତ ହୁଅଇ ସିନା
ନିର୍ଦ୍ଦୟ ଦୁନିଆ ଜାଣି ପାରେନାହିଁ
ଜୀଇଁଛି ସ୍ପନ୍ଦନ ବିନା ।
ଯାହା ବି ପାଇଲି ମନ ଭରିଲାନି
ଚାହିଁବା ଥିଲା କି ଊଣା
ସମୟ ଫେରେନି ତୁମେ ବି ଫେରନି
କାହାକୁ କରନ୍ତି ଘୃଣା ?
ଗୁଣୁଗୁଣୁ ହେବା ବାହାନା ସହିତ
ଖୋଜିଛି ତୁମକୁ ଯେତେ
ପୁରାତନ ସ୍ମୃତି ଲିଭେନାହିଁ ବରଂ
ଗଭୀର ହୁଅଇ ସେତେ ।
ମୋର କଥା ଛାଡ ଉଦାସିନୀ ଦାସୀ
ଅଳପେ ବଢଇ ବ୍ୟଥା
ତୁମ ଆତ୍ମା ଥିଲା ବହୁତ ପିଆସୀ
ତୃଷା ନମେଣ୍ଟିବା କଥା ।
କମି ନଯାଉ ହେ ପାନୀୟ ତୁମର
ମନ ଭରି ଯାଅ ପିଇ
ଚେତନା ସମ୍ଭାଳି ଆଶାରେ ମୁଁ ଆସି
ଆସରେ ଯାଇଛି ଜୀଇଁ ।
ମଧୁଶାଳା ଭଳି ଜୀଆଁଇ ରଖିଛି
କେଉଁ କାଳୁ ତୁମ ଆଖି
ବୁନ୍ଦେ ହେଲେ ବନ୍ଧୁ ରହିବନି ବାକି
ଫେରିବା ଯାଏଁ ଏ ସାକି ।
ଖୋଲି ଦେଇଥିଲେ ଆତ୍ମାର ଗୁଣ୍ଠନ
ମରି ସାରିଥାନ୍ତି ଲାଜେ
ମଉଳି ନଯାଉ କୋମଳ ସପନ
ଯନ୍ତ୍ରସଙ୍ଗୀତର ସାଜେ ।