ପ୍ରୀତିର କବିତା
ପ୍ରୀତିର କବିତା
କୋମଳ ଡେଣାରେ ଉଡାଣରେ ଜୀବନର
ଅନୁଭୂତି ନୂଆ , ଅନୁଭବ ଅଭିନବ
ଆଶା ଅଭିଳାଷ ଏ ଦିଗନ୍ତ କେତେ ଦୂର
ମେଳିଥାଏ ପୁଣି , ଲାଗେ ସୁଖ ବଇଭବ |
ନରମ ବୁକୁର ଭାଷା ବିଭୋରରେ ପଥ
ଲାଗେ ଯେବେ ଏକା କେତେ ଛକ କେତେ ମୋଡ
ସେ ଛକେ ଜୀବନେ ହୁଏ ଶୁନ୍ଯତାର ଭେଟ
ତଥାପି ଏ ମନ କାନନେ ଫୁଟଇ ସଦ୍ଯ କାମନା କଢ |
ପ୍ରତାରିତ ପଥ ଯନ୍ତ୍ରଣା ଜର୍ଜର ସଦା
ନରମି ଓଠର କଥା କଳ୍ପନା କହେ-
ନିଶଂକେ ପିଇବି ଗରଳ ହେଉ ବା ସୁଧା
ଏ ପଥ ଅପଥ ହୋଇଯିବ, ଯଦି ବଇଶାଖୀ ବହେ |
ଭାବନାରେ ଯଦି ଧାଡି ଧାଡି ହୋଇ
ପୀରତି କବିତା ଲେଖାଯାଏ ଅନୁରାଗେ,
ଲାଗିବକି ସତେ ବସନ୍ତର ଏଇ
ସୁଖ ପରିଧୀରେ ଅନୁତପ୍ତ ବୁକୁ ଭାଗେ !!