Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

1.1  

SARATA KUMAR DAS

Others

ମୋ ସହରରେ ବର୍ଷା

ମୋ ସହରରେ ବର୍ଷା

1 min
5.2K



ବର୍ଷା ଆସିଛି ମୋ ସହରକୁ

ରଜନୀଗଂଧା ର ମହମହ ବାସ୍ନା ରେ

କଦମ୍ବ ପତ୍ରର ଢଳଢଳ ବିନ୍ଦୁରେ

କୃଷ୍ଣଚୂଡାର ରଂଗ ନେସି

କଳାମେଘୀ ପାଟ

ମଖମଲି ଓଢଣୀରେ ।

ଶ୍ୟାମ ରଂଗେ ଉଦ୍ଭାସିତ

ମୋ ସହରର ବର୍ଷା ଭିଜା ବୁକୁ

ଓଦା ଲୁଗାରେ ସଜାଇଛି ତନୁ

ଠିକ୍ ନୂଆ କୂଳବଧୁ ଭଳି,

ସବୁଜ ବନାନୀ ର ସବୁଜିମା

ଶୋଭୁଛି ତା ଘନକୃଷ୍ଣ କବରୀରେ

ତିଳ ତର୍ପଣ କରୁଛି

ଟିପି ଟିପି ବର୍ଷା ର ଧାରା

ତା ହାତ ଆଂଜୁଳିରେ ।


ଧସେଇ ପଶୁଛି ପୁଳା ପୁଳା କଳାମେଘ

ବରଷି ଯାଉଛି ଅଶରା ଅଶରା

ମୂର୍ଚ୍ଛନା ତୋଳୁଛି

ମଧୁମୟ ଶାଶ୍ବତ ସଂଗୀତ

କେତେ କୋଳାହଳ କେତେ ଚଳଚଂଚଳ

ମୋ ସହର ଧୂମାନ୍ତ ବୁକୁରେ ।


ଲନ୍ ର ମୁଲାୟମ ସବୁଜ ଘାସଗଛ

ଝାଉଁଳି ପଡିଥିବା ଦେବଦାରୁ

ଧାଡି ଧାଡି ସୁସଜ୍ଜିତ ଫୁଲକୁଣ୍ଡ

ଖୁସି ରେ ଆତ୍ମହରା

ଫାଟକ ସାମ୍ନାରେ

ବଂଚିଯିବେ ଆଉ କେତେଦିନ

ପହିଲି ବର୍ଷା ର ପହିଲି ସ୍ପର୍ଶରେ ।


ଚା' ଦୋକାନରେ ଭିଡଜମିଛି

ଅଧାପୋଡା ସିଗାରେଟ୍ ର

ପରସ୍ତ ପରସ୍ତ ଧୂଆଁଳିଆ ଆସ୍ତରଣ ରେ

ନଇଁ ନଇଁ ଆସୁଛି ଅଳସୀ ସଂଧ୍ୟା

ଷ୍ଟ୍ରିଟ୍ ଲାଇଟ୍ ର ନିଅନ ଆଲୁଅରେ

ଲୁଚକାଳି ଖେଳୁଛି

ଅମାନିଆ ବର୍ଷା ,

ଲହଡି ଭାଙ୍ଗୁ ଛି

ରାସ୍ତାଘାଟ,ନଈ,ନାଳ,

ପାର୍କ , କଲଭର୍ଟ,ବସ୍ ଷ୍ଟାଣ୍ଡ,ଓ

ସିନେମା ହଲ୍ ର ଚତୁଃପାର୍ଶ୍ବ ।


ଦୂର ଶାଳବଣ ଝଙ୍କାଳିଆ ପତ୍ର ଗହଳରେ

ଥପ୍ ଥପ୍ ବର୍ଷା ର ମଧୁର ତାନରେ

ମୁରୁକି ହସୁଛି ଲାଜେଇ ଜହ୍ନ

ବଢିଚାଲିଛି ରାତିର ବୟସ ,

ସ୍ବଗତ କରୁଛି

ଝିଙ୍କରୀର ଝଙ୍କାର

ବର୍ଷା କୁ ଓ ତା'ର ମଧୁର ସ୍ପର୍ଶକୁ ,

ଶାନ୍ତି ରେ ନିଶ୍ବାସ ମାରୁଛି

ମୋ ସହର

ଆଉ ଭିଜୁଛି ବର୍ଷା ର ତାଳେ ତାଳେ

ମନଭରି

ଅତନ୍ଦ୍ର ନୟନରେ ।।

------------------

ଅଧ୍ୟାପକ ଶରତ କୁମାର ଦାସ

ରାଜନୀତି ବିଜ୍ଞାନ ବିଭାଗ,

ବଡବିଲ ମହାବିଦ୍ୟାଳୟ , ବଡବିଲ ।

ଜି-କେନ୍ଦୁଝର-୭୫୮୦୩୫

ଦୂରଭାଷ-୯୪୩୮୨୪୩୧୪୯


Rate this content
Log in