ପ୍ରାକୃତିକ ଦୁର୍ଦ୍ଦଶାରେ ଜୀବନ
ପ୍ରାକୃତିକ ଦୁର୍ଦ୍ଦଶାରେ ଜୀବନ
ଅଣଚାଶ ବାୟୁ ମିଶିଗଲେ ଏବେ
ଲାଗିଛି ତୋଫାନ ଝଡ଼
ଦୁର୍ବଳ ମୋର ଏ ମେରୁଦଣ୍ଡ ମୋଡି
ଭାଙ୍ଗିଦେଲା କଡ଼ମଡ଼ ।
ଚାହୁଁ ଚାହୁଁ ମୋର ଆଶରା ବୁଡିଲା
ଚାଳଛପରର ଘରେ
ତଥାପି ଦେଖ ମୁଁ ସ୍ବପ୍ନରେ ବିଭୋର
ଜୀଇଁବାକୁ ଆଉଥରେ ।
ଦିଗହୀନ ଏଠି ବିଜନ ପ୍ରାନ୍ତରେ
ଚରି ଯାଇଛି ତ ବାଲି
ନିର୍ବାକ ନିସ୍ପନ୍ଦ ଉତ୍କଳ ଜନନୀ
କି ଦଶା ଭୋଗିବ କାଲି ।
ପବନରେ ଲୁହ ଲହୁର ବେହେଲା
ଶୁଣିଲେ ଲାଗୁଛି ଡର
ପ୍ରସରି ଯାଇଛି ଆକାଶରେ ଯେଣୁ
ଉଦାସ ଗୀତର ସ୍ବର ।
ମାଟି ମୁଠାକରେ ଭେଦି ଯାଇଅଛି
ମେଞ୍ଚାଏ ଶିଥିଳ ରକ୍ତ
ମୃତ ଉପତ୍ୟକା ବେଳକୁ ବେଳ ତ
ଲାଗୁଛି ଯେମିତି ଶକ୍ତ ।
କରାଳ ବାତ୍ୟାରେ ଉଡ଼ିଲା ତ ପାଦ
ତଳରୁ ସୁଖର ରେଣୁ
ସମୁଦ୍ରଠୁ ଦୂରେ ଲୁହର ତଟିନୀ
ଦିଗହରା ଏବେ ତେଣୁ ।
ଉଜୁଡା କ୍ଷେତରେ ଏଠି ସେଠି ଚାଲେ
ଶବଙ୍କର ଶେଷଯାତ୍ରା
ଅନନ୍ତ ଗର୍ଭରେ ନିରାଶେ ବିଲୀନ
ଭବିଷ୍ୟ ସଉଧ ମାତ୍ରା ।
ମାଆ ହୃଦୟରୁ ମମତାର ଜଳ
ପାତାଳକୁ ଯାଏ ଝରି
ସୁକୋମଳ ତା'ର ଭାବ ପ୍ରବଣତା
ସତେ କି ଯାଇଛି ମରି ।
ସୃଷ୍ଟି ସନ୍ତୁଳନ ବିଗାଡି ଚାଲିଛି
ଏକା ଏ ମଣିଷ ଜାତି
କ୍ଷଣିକ ସୁଖର ମାଣିକ ଗୋଟାଏ
ବିଦାରି ମାଆର ଛାତି ।
ଯେହେତୁ ଜନତା ସ୍ବାର୍ଥର ସଲିଳେ
କରୁଛନ୍ତି ଅବଗାହ
ଜାତିପ୍ରାଣେ ବଢେ ଦୀର୍ଘଶ୍ବାସ ଭରା
ବ୍ୟର୍ଥତାର ତୀବ୍ର ଦାହ ।
ମାଟି ସୁଖଦୁଃଖ ଛୁଉଁଥିବା ପାଣି
ପବନ ଆକାଶ ଗଢ଼ି
ଆସ ବେଳ ଥାଉଁ ସଜାଡି ରଖିବା
ଦୁର୍ଦ୍ଦଶା ନଯାଉ ବଢ଼ି ।
ପ୍ରସନ୍ନ କୁମାର ମାଦଳା