ଏଇତ ଜୀବନ
ଏଇତ ଜୀବନ
ରମେଶ ବେହେରା
ଅନିଦ ମେଘର ଅଜସ୍ର ଧାରାରେ
କେତେ ଲୁହ, ଲହୁ ହୋଇ ବହିଗଲା l
କେହି ଜାଣିଲେନି- ଆଶାର ଲହରୀ ପରେ,
ନିରାଶାର ଭଉଁରୀରେ, ଦିଗ ହଜା ନିଃଶ୍ଵାସରେ ଉଷ୍ମତାରେ
କେତେସ୍ୱପ୍ନ ହଜିଗଲା- କେହି ବୁଝିଲେନି-
ବୁଝି ପାରିବେନି – ଜୀବନର ଅନ୍ଧକୂପେ,
ପଥହରା ସହସ୍ର ପଥିକ, କାହା ହାତ ଧରି
ପଥ ଖୋଜି ନେବି- ସବୁତ ଅଳୀକ ....
ଧାରା ଶ୍ରାବଣରେ ବି ଏଠି, ପାଣି ମୁନ୍ଦେ ପାଇଁ
ବହୁବାର ମରି- ପୁଣି ବଞ୍ଚିବାକୁ ହୁଏ l
ବିଷାଦର ବିମର୍ଷ ଅପରାହ୍ନେ ବିଦଗ୍ଧ ଆତ୍ମାଟିଏ,
କାଣିଚାଏ ଖୁସି ପାଇଁ, ଅଞ୍ଜଳିକୂ ଟିକେ ଦେଉଥାଏ l
କିଏ ଜାଣୁ ବା ନ ଜାଣୁ, ମୁଁ ଜାଣେ-ଚୌ-ଛକିରେ ଏକୁଟିଆ
ମୁଁ ଏକା ପରାହିତ ସୈନିକ l
ଏକ ଶରବିଦ୍ଧ ପକ୍ଷୀ ପରି-ନିଃସହାୟ, କ୍ଷତାକ୍ତ l
ହାତ ମୁଠାରୁ ଖସି ପଡୁଥିବା ସାରୁ ବାଲି ପରି,
ହୁଗୁଳି ପଡୁଥିବା ଜୀବନକୁ- କିଏ ସହଜରେ ତୋଳିନିଅ
ରଙ୍ଗହୀନ, ବାସ୍ନାହୀନ ଅଲୋଡା ଚିଠିତି ପରି ତୋଳିନିଅ
ଘରକୋଣ ଆଳିଆରେ ହଜିବା ଆଗରୁ –
ଥରୁଟିଏ ଆପଣେଇ ନିଅ
ଆଖି ଖୋଲି ଦେଖେ – କିଏ ସେଇ ....
ମୁର୍ହୁ ମୁର୍ହୁ ସ୍ପନ୍ଦିତ ଆବେଗରେ,
ଜଡ ଭିତରେ ଚେତନା ଭରିଦିଏ- ଜୀବନ୍ୟାସ ପାଇଥାଏ
ଅଦିନିଆ ଝଡ ପରେ-
ନଇଁ ପଡୁଥିବା ସଖାଟିଏ ମୁଁ,
କେଉଁ ଏକ ଅମୃତ ସ୍ପର୍ଶରେ
ଆଉଥରେ ନୂଆଁ କରି ବଞ୍ଚିବାକୁ
ଅଶିଣର ପବନରେ ଶାଖା ମେଲିଦିଏ l