ଜୀଇଁବାର ମୂଲ୍ୟ
ଜୀଇଁବାର ମୂଲ୍ୟ
ଦିନ ପରେ ରାତି ଯାଏ ସିନା ବିତି
ପୁଣି ତ ଫେରଇ ଦିନ
ଏହି ଧାରା ଯଦି ନପାରିଲ ଭେଦି
ହେବ କି ବନ୍ଧନୁ ଛିନ୍ନ ?
ଅଜ୍ଞାନ ତମସ ଭିତରୁ ପ୍ରକାଶ
ଆଡକୁ ଦେଖିଲେ ସିନା
ଜୀବନର ଅର୍ଥ ଲାଗିବନି ବ୍ୟର୍ଥ
ମିଛର ସମ୍ପର୍କ ବିନା ।
ଜୀବ ଓ ପରମ ସାଜି ବିହଙ୍ଗମ
ଛନ୍ତି ଯେଉଁ ବୃକ୍ଷ ଡାଳେ
କଳା ଧଳା ହୋଇ ଇନ୍ଦୁର ସେ ଦୁଇ
ନିରତ କାଟନ୍ତି କାଳେ ।
ଜୀବ ସିନା ଭୁଞ୍ଜେ ଯେ ଫଳ ଅରଜେ
ଦୁଃଖେ ଦେଇ ଶ୍ରମବଳ
ନଶ୍ବର କରମ ବଳେ କି ପରମ
ଭୁଞ୍ଜଇ ଶାଶ୍ବତ ଫଳ ?
ଜୀଇଁ କିଛି କାଳ କେତେ ଅବା ଭାଳ
ଜୀବନର ମାନେ ଏହି
ଜୀବନ୍ୟାସ ନେଇ ଉଠିଯାଅ ଚେଇଁ
ପାରୁଅଛ ଯିଏ କେହି ।
ନହୁଅ କେ ଜଡ ହୋଇ ପଛେ କଢ
ଫୁଟି ହୁଅ ଦିନେ ଫୁଲ
ମହକ ବରଷି ପାରିଲେ ପରଷି
ମିଳିବ ଜୀଇଁବା ମୂଲ ।
ଭୋଗ ଆଉ ରାଗ କରି ଭାଗ ଭାଗ
ହେବାକୁ ହିଁ ହେବ ଋଷି
ଦୁଃଖକୁ ଆବୋରି ସୁଖକୁ ବିତରି
ପାରିଲେ ପାଇବ ଖୁସି ।
ଦୁଇ ପାଦ ଚାଲି ଜୀବନଟା ଜାଳି
ମିଛଟାରେ ହେଉ ବାଇ
ଅସରନ୍ତି ବାଟ ଜୀବନର ହାଟ
କେତେ ହେଉ ହାଇଁପାଇଁ ।
ଆନର ଜୀବନ ରଖି ସିନା ଧନ
ବୁଝିବୁ ଜୀଇଁବା କିସ
ଏ ଯେତେ ସଜୀବ ନଥିଲେ ନଥିବ
ବୋଲିବା ପାଇଁକି ଈଶ ।
ପ୍ରସନ୍ନ କୁମାର ମାଦଳା