ନିଷିଦ୍ଧ କୋଳର ଅଶ୍ରୁ
ନିଷିଦ୍ଧ କୋଳର ଅଶ୍ରୁ
ନୀଳ ଆକାଶର ଉତ୍ତରାରାଣୀ ଗୋ
ଧନ୍ବନ୍ତରୀ,ଧ୍ରୁବ
ସାଥିରେ ସାଥିରେ ଥିଲ ।
ତାରା ଓ ନକ୍ଷତ୍ର ସପ୍ତର୍ଷି ମଣ୍ଡଳ
ଜୀବନ ଚର୍ଯ୍ୟାର
ସହଚରୀ ଭାବିଥିଲ ।।
ନିଃସଙ୍ଗ ଜୀବନେ ବିଜନ ବିପିନେ
ନିନାଦିନୀ ନଈ
କୁଳୁ କୁଳୁ ସଂଗୀତରେ ।
ତୁମ ଜୀବନର ସ୍ରୋତରେ ସ୍ରୋତରେ
ରଂଗ ବାଢୁଥିଲା
ଅନ୍ତରଙ୍ଗ ଆବେଗରେ ।।
ମଉନ ବେଳାରେ ପକ୍ଷୀ କୁଜନରେ
ମଉଳା ମନକୁ
ଝଙ୍କୃତ କରି ତୋଳି ।
ବିସ୍ତୀର୍ଣ୍ଣ ବିଷାଦ ପିଇ ଯାଉଥିଲ
ମରମେ ମରମେ
ସଜାଇ ନିଃସଙ୍ଗ ଦୋଳି ।।
ସନ୍ଧ୍ୟା ତାରା,ସନ୍ଧ୍ୟା ରକ୍ତିମ ଲୋତକ
କବି,ତା'କବିତା
ଥିଲେ ତୁମ ଚିର ସାଥି ।
ଘର୍ମ ଘୁଙ୍ଗୁରର ରୁଣୁ ଝୁଣୁ ସୁରେ
ଶବ୍ଦର ଯାଦୁରେ
ଢାଳୁଥିଲ ପ୍ରୀତି ଗୀତି।।
ଜହ୍ନ କଳଙ୍କରେ ନିଜକୁ ହଜେଇ
ଭାବି ନେଇଥିଲ
କଳଙ୍କିତ ହେବ ବୋଲି ।
ଜହ୍ନ ପରା ତୁମ ଶବ୍ଦର ସ୍ରୋତରେ
ସୁରମ୍ୟା ସାଜିଛି
ଶୁଭ୍ରା,ସତେକି ଧଉଳି ।।
ପ୍ରୀତି ପ୍ରତ୍ୟୁଷର ପ୍ରମତ୍ତ ବେଳାରେ
ଅଜଣତେ କେଉଁ
ସ୍ନିଗ୍ଧ ସାୟନ୍ତ ମୁହୂର୍ତ୍ତେ ।
ନୀଳ ପରୀ ସାଜି ଅଙ୍ଗ ରଙ୍ଗେ ମାଜି
ଆସିଗଲ ଆସ୍ତେ
ମୋ'ରି ମନର ନିଭୃତେ ।।
ଆସିଗଲ ଯେବେ ଆସି ରହିଯାଅ
ମୋ'କବିତା କୋଳେ
ତରଙ୍ଗିଣୀ ରୂପ ନେଇ ।
ସାଇତି ରଖିବି ସଜେଇଦେବି ଗୋ
ପ୍ରୀତି ପଲଙ୍କରେ
ଜହ୍ନର ଜୋଛନା ଦେଇ ।।
ନ ଥିବ ତୁମର ନିଃସଙ୍ଗତା ପଣ
ଦୁଃଖ ଓ ବିଷାଦ
ଦରଦ ଦ୍ରୁମର ଛିଟା ।
ତୁମେ ମୋ'କବିତା ରାଗ ଓ ରାଗିଣୀ
ମେଘ ମଲ୍ହାରର
ଅବ୍ୟକ୍ତ ପ୍ରାଣର ଗୀତା ।।
ଗାଇ ଚାଲିଥିବି ଜପି ଚାଲିଥିବି
ହଜି ଚାଲିଥିବି
ତୁମରି ନିଷିଦ୍ଧ କୋଳେ ।
ନିଷିଦ୍ଧ ମନର ତ୍ରିବେଣୀ ଭାବି ମୁଁ
ଜନମ ଜନମ
ଭିଜୁଥିବି ଅଶ୍ରୁ ଜଳେ ।।