ଅଦିନ ମେଘ
ଅଦିନ ମେଘ
ଅଦିନ ମେଘ
ବର୍ଷା ଆସିଛି
ମନର ମଟାଳ ମାଟିରେ
ଓସରେଇ ଆସୁଥିବା ଫାଟର ବାମ୍ଫରୁ
ଆହୁରି ଆହୁରି ଦୂରେଇ ଯାଉଥିବା
ଚେନା ଚେନା ବାଦଲ ଭିତରୁ
କେଉଁଠୁଁ ଲମ୍ପ ମାରି
ଅଯାଚିତ ଭାବରେ
ଅତର୍କିତ
ଅପୂର୍ଣ୍ଣତାର ଆଉ ଏକ ଶ୍ରାବଣ ଏ
ଜାଣି ହେଲାନି କେବେ ଉଙ୍କି ମାରିଲା
ଯେମିତି ପାଚିଲା ବାଳଟି ହୋଇ
ଆସିଛି ମନେ ପକାଇ ଦେବାକୁ
ବହି ଯାଉଥିବା ସମୟକୁ
କି ଅଶୁଭ ପ୍ରୟାସ ଏ ମେଘର
ମନ ସହ
ଯେମିତି ହୋଲି ରଙ୍ଗ ବଳପୂର୍ବକ ବୋଳିବାକୁ ଆସିଛି
ବିଧବା ଦେହରେ
କି ରୋମାଞ୍ଚ ବଞ୍ଚିଛି
ଏ ଅଦିନ ମେଘର ଆସିବାରେ,
ସବୁ ଆଶାବନ୍ଧ ଭାଙ୍ଗିଯିବା ପରେ ?
ଘୃଣା ଲାଗୁନି ତା ସ୍ପନ୍ଦନହୀନ କୃତ୍ରିମ ହସ ?
ଯା ଲାଗି ପବିତ୍ରତା ବିନା କାରଣରେ
ନାମ ନେଲା ଅଶ୍ଲୀଳତାର – ନିର୍ଲଜ୍ଜପଣିଆର
କି ଲାଭ ଏବେ
ସ୍ଵାଭାବିକତା ହରାଇ ବସିଥିବା
ଆବେଗହୀନ ଏ ଚୁମ୍ବନରେ ?
ବର୍ଷା ଆଜି ଆସିନି
ପହିଲି ଆଷାଢ଼ର ପ୍ରେମ ସଂଜୀବନୀ ହୋଇ
ଆସିଛି ସେ ଦେହଯଜ୍ଞର କ୍ଷୀଣ ହୋମଶିଖାକୁ
ଶାନ୍ତିଜଳ ସିଞ୍ଚିବାକୁ
ଆଉ ମଲା ସ୍ଵପ୍ନମାନଙ୍କର
ଖୋଲିହୋଇ ରହିଯାଇଥିବା ଆଖିପତା ଗୁଡିକୁ
ଅଂଗୁଳିରେ ଲେଉଟାଇ
ବନ୍ଦ କରିଦେବାକୁ