ନିଃସଙ୍ଗ ଅପରାହ୍ନ
ନିଃସଙ୍ଗ ଅପରାହ୍ନ
ନିଃସଙ୍ଗ ଏ ଶୀତ ସଂଧ୍ୟା,
ତୁମ ବିନା ସବୁ କିଛି ଖାଆଁ ଖାଆଁ ଲାଗେ,
ସତେ ଅବା ଝଡ ପୂର୍ବର ଶାନ୍ତ ଧରିତ୍ରୀଟିଏ ।
ସୁଲୁ ସୁଲୁ ହେମାଳ ପବନେ,
ସବୁ କିଛି କାକୁସ୍ଥ ଏଇଠି,
ଆଉଜି ପଡନ୍ତି ଏକ ଆରେକ ଉପରେ,
ସତେ ଅବା ସମସ୍ତ ଙ୍କୁ ସାଥୀଟିଏ ଲୋଡା,
ଟିକିଏ ଉଷୁମ ପରଶ ପାଇଁ ଖୁନ୍ଦି ହୋଇ ଯାଆନ୍ତି,
ଛୋଟ ପଡୁଥିବା କମ୍ବଳ ଭିତରେ ।
ତୁମେ ନାହଁ, ଏଇ ଘରେ
ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ,
ସବୁଆଡ ଫୁଙ୍ଗୁଳା ଫୁଙ୍ଗୁଳା,
ଶୁନ୍ ଶାନ୍ ନିଛାଟିଆ ଲାଗେ ।
ତମେ ସିନା ନାହଁ, ବାକି ତ ସମସ୍ତେ ଅଛନ୍ତି
ତୁମ ଛଡା ସବୁ କିଛି ଠିକ୍ ଠାକ୍ ଅଛି,
ହେଲେ, ତଥାପି କାହିଁକି,
ଏଠି ଏତେ ନିଛାଟିଆ ଲାଗେ ?
ମନ ମୋର ତୁମକୁ ଖୋଜୁଛି,
ଟିକେ ପ୍ରେମ ନ ହେଲେ ବି,
ଟିକେ ଲଢେଇ କରନ୍ତ ହେଲେ,
କିଛି ନ ମିଳିଲେ ବି ଅତନ୍ତ ଗପିବାକୁ
କିଛି ବିଷୟ ମିଳନ୍ତା !
ଟିକେ ଗହଳ ଚହଳ ହୁଅନ୍ତା,
ତମର ସେ ରାଗ ତମ ତମ ମୁହଁ ଦେଖି,
ମୁଁ ଟିକେ ଆନନ୍ଦ ନିଅନ୍ତି,
ପୁଣି ତୁମେ ନାକରେ କାନ୍ଦନ୍ତ,
ବାହାନା କରନ୍ତ ମାନ ଭଞ୍ଜନ ର ପାଇଁ,
ହେଲେ କିଛି ନାହିଁ ଏଠି, ତୁମ ବିନା
ଏତେ ଶୁନ୍ ଶାନ୍ ଭଲ ଲାଗୁ ନାହିଁ ।
କୁହା କଥା, ତୁମେ ମୋର ହୃଦୟରେ ଥାଅ,
ମୋ ମନରେ, ମୋ ଆତ୍ମାର ରୁହ,
କି ଲାଭ କୁହନି, ବ୍ୟାଙ୍କର ଜମାରାଶି
ଯଦି ଦରକାର ବେଳେ କାମକୁ ନ ଆସେ !
କି ଲାଭ କୁହନି, ତୁମେ ମୋର ହୃଦୟ ରେ,
ମୋ ମନରେ, ମୋ ଆତ୍ମାରେ ଥିଲେ?
ତୁମକୁ ଖୋଜୁଛି, ତୁମକୁ ଚାହୁଁଛି
ମୋର ବାହୁ ବନ୍ଧନରେ ନୁହେଁ,
ନା’ ମୋ ଶେଜରେ ଚାହୁଁଛି,
ତୁମେ ମୋ ସାମ୍ନାରେ ଥାଆନ୍ତ,
ମୋ ସାଥି୍ରେ, ଦେହକୁ ଦେହ ଲଗେଇ ବସନ୍ତ,
ସମ୍ଭୋଗର କାମନା ନୁହେଁ ଗୋ
ଚାହେଁ ଖାଲି ଅନ୍ତରଙ୍ଗ ସାନ୍ନିଧ୍ୟ ତୁମର ।
ଜୀବନରେ ଏଇ ଅଳସ ଅପରାହ୍ନେ,
ସାଥୀ ବିନା ବ୍ୟଥା ଭାରି ଲାଗେ,
ତୁମ ଠାରୁ କିଛି ପାଇବାର ଲାଳସା ନାହିଁ ମୋ
ଦେବାକୁ ବି ନାହିଁ ଅବଶେଷ,
ସବୁ କିଛି ଦିଆ ନିଆ ଆଗରୁ ସରିଛି,
ଏବେ ଖାଲି ସାଥୀଟିଏ ଲୋଡା,
ପ୍ରାତ ଅବା ସାଂଧ୍ୟ ଭ୍ରମଣରେ,
ଦି’ ଘଡି ପାଖେ ବସି ଅତୀତର
ରୋମନ୍ଥନ ପାଇଁ ।