ଗ୍ରୀଷ୍ମକାଳ ଓ ପଖାଳ
ଗ୍ରୀଷ୍ମକାଳ ଓ ପଖାଳ
ଗ୍ରୀଷ୍ମଋତୁର ଆଗମନ ହେଲା
ଦାରୁଣ ନିଦାଘ ତନୁ ଦହିଲା
ପ୍ରଚଣ୍ଡ ରୌଦ୍ରର ଅତି ପ୍ରକୋପ
ଘର୍ମାକ୍ତ ଶରୀରୁ ଶକ୍ତି ନିଃଶେଷ।
ତୃଷାରେ ପ୍ରାଣ ହୁଏ ଛଟପଟ
ବୃକ୍ଷଛାୟା ଦିଏ ଶାନ୍ତି ଅମାପ
ଛତା,ଲେମ୍ବୁ ପାଣି,ପଂଖା ପବନ
କୁଲର,ଏସି ବଡ ବଳବାନ।
ଓଡ଼ିଶା ବାସୀଙ୍କ ପ୍ରିୟ ପଖାଳ
ସନ୍ତାପିତ ପ୍ରାଣ କରେ ଶୀତଳ
ଅଂଶୁଘାତର ଏ ମହା ଔଷଧୀ
ଶୁଣ ପଖାଳ ଖାଇବାର ବିଧି।
ପେଟଭୋକ ଦେଖି ଭରିବ କଂସା
ତା'ପରେ ଦି ଟୋପା ଆମ୍ବର ଲସା।
ମହମହ ବାସ ଚହଟି ଯିବ
ପସନ୍ଦ ନହେଲେ ଲସା ନ ଦେବ।
ତା ବଦଳେ ନେବ ଦହି ପଖାଳ
ଲେମ୍ବୁ,ଲୁଣ,ଲଙ୍କା,ପିଆଜ ଫାଳ।
ବଡିଚୁରା,ଶାଗଭଜା,କାକୁଡି,
ତାମ୍ପଡା ଶୁଖୁଆର ଚଡଚଡି।
ଆଳୁ ପୁଣି ବାଇଗଣ ଭରତା
ମାଛଭଜା ସାଙ୍ଗେ ଜନ୍ହିରାଇତା।
କଖାରୁ ପତର ପିଠଉ ବରା
ମହୁରାଳି ମାଛ ପତର ପୋଡା।
ସଜନା ଛୁଇଁର ବେସର ଭଜା
ଭଜା ମହୁରାଳି ଲାଗିବ ମଜା
ଆମ୍ବ,ଲେମ୍ବୁ,ବରକୋଳି ଆଚାର
ନଥିଲେ ଆଣିବ ଆମ୍ବୁଲ ଫାଳ।
ଟମାଟୋ ପୋଡାକୁ ପାଗ କରିବ
ଭାଗମାପ କରି ଲଙ୍କା ଦଳିବ
ନହେଲେ ସୁଉ ସୁଉ କରୁଥିବ
ନାକରୁ ଆଖିରୁ ପାଣି ବୋହିବ।
ଏଥୁ ଅନନ୍ତରେ ମନେରଖିବ
ଧୀରେ ଧୀରେ ଗୁଣ୍ଡା ଗ୍ରାସ କରିବ
ତାହେଲେ ଭଲରେ ହଜମ ହେବ
ନହେଲେ ତଣ୍ଟିରେ ଲାଗିଯେ ଯିବ।
ଖାଇସାରି ତୋରାଣିକୁ ପିଇବ
ଓଃ,କି ଶାନ୍ତି!ଉଚ୍ଚାରଣ କରିବ
ହାତ ଧୋଇକରି ଖଟକୁ ଯିବ
ନିଦ୍ରାଦେବୀ କୋଳେ ବିଶ୍ରାମ ନେବ।
ମାର୍ଚ୍ଚ ମାସର କୋଡିଏ ତାରିଖ
ପଖାଳ ଦିବସ ନାମରେ ଖ୍ୟାତ
ଓଡିଶା ବାହାରେ ନାମ କରିଛି
ପାରିନି ଭୂଲି ଥରେ ଯେ ଖାଇଛି।
*** ମିନାକ୍ଷୀ ସାମଲ ***
minusamal1969@gmail.com
7980250037