ଅନାବନା କବିତା - ୪୦
ଅନାବନା କବିତା - ୪୦
ଲେଖି ରଖନ୍ତୁ କବିତା ଲେଖିବାର ସୂତ୍ର
ପରଷିବାର ମନ୍ତ୍ର।
ଶବ୍ଦର ଦୁଇ ଗୋଡ ବାନ୍ଧି
ପକେଇଦିଅ ରୋଷ ଘେର ବେସିନ
ପାଖରେ। ଗୋଟେ ପନିକିରେ
ପିଆଜ କାଟ, ଲଙ୍କା କାଟ
ଆଳୁ ଖଣ୍ଡ ଖଣ୍ଡ କର,
ଗୁଜୁରାତି, ଡାଲଚିନି
ଆଉକିଛି ଲାଳସା ବାଟି
ରଖ ଯେଉଁଠି ଶବ୍ଦ ହେଉଛି
ଫଡ ଫାଡ। ସେହି ମୁହଁ ପାଖ
ଲାଳ,ରକ୍ତରେ
ଶବ୍ଦର ଛିଣ୍ଡା ପର
କି ସୁନ୍ଦର ଚିତ୍ର!
ବୈଠକ ଘରେ
ବନ୍ଧୁମାନେ ଗୋଟେ ଗୋଟେ
ଗିଲାସ,
ଠଣ୍ ଠାଣ୍, ଟିଣ୍ ଟିଣ୍
କବିତାକୁ ଡାକିବାର
କାଳିସୀ ଅଭ୍ୟାସ।
ବୈଠକଘର
ଚାଣ୍ଡେଲିୟର
ଜଣେ ମହତାକାଂକ୍ଷୀ ଅବଳା
ଧୀରେ ଧୀରେ
ଅନ୍ଧାର।।
ଉହାରେ ଘସି
ଛୁରୀକୁ ଧାରୁଆ କର
ଏବେ ଘାଲେଇ, ଘୁମେଇ
ପଡିଥିବା ଶବ୍ଦକୁ
ବେନିଦ କର
ତା ବୁଜିଆସୁଥିବା
ଆଖିପତାର ନାଲି ପର୍ଦ୍ଦାକୁ
ଖୋଲ,
ବେକରେ ଛୁରୀ
ବନ୍ଧା ପାଦ ଅସ୍ଥିର
ସ୍ଥିର ଏବଂ ସ୍ଥିର।
ହଳଦୀ, ତେଲ, ଲୁଣ
ସଂଘର୍ଷ, ସମର୍ଥନ,
ଯୁଗାଡ, ବିଗାଡ
ନିଶା, ପେଶା
ଦଳ, ବଳ
ଏବେ କରେଇରେ
ଟକଟକ ଫୁଟୁଛି
କବିତାର ଝୋଳ।
ଖାଅ, ପିଅ
ଭୁଲିଯାଅ।
ଚୁଉପ୍.... ଚୋପ୍
ଶୁଣ କିଏ ତୁନି ତୁନି କାନ୍ଦୁଛି
ଏ ସ୍ବର କାହାର!!
ପଘା ଫିଟା ବଳିବର୍ଦଙ୍କ ପରି
ଧ୍ଵସ୍ତକର ଗୁହାଳ।।
ଅନୀଲ କୁମାର ପଢୀ