ଠାକୁରେ ଯାଉଛ କାହିଁ
ଠାକୁରେ ଯାଉଛ କାହିଁ
ଠାକୁରେ ଯାଉଛ କାହିଁ
ରହିବ କି ଟିକେ ମାଗୁଅଛି ଭିକେ
ଦୁଃଖ ଶୁଣାଇବା ପାଇଁ ।
ନବଦିନ ପାଇଁ ମନ୍ଦିରୁ ବାହାରି
ସାରିଲ ତ ଯାତ୍ରା ଶୁଣିଲ କାହାରି
ଆକୁଳ ଭାରତେ ସନ୍ତାନ ଆରତେ
ସହନ୍ତି ଟାପରା ଟାହି
ବାହୁଡି ଯାଉଛ କାହିଁ ?
ଆର୍ତ୍ତତ୍ରାଣ ତୁମେ ଆସିଥିଲ ପରା
ପତିତ ଉଦ୍ଧାରି ଉଶ୍ଵାସିବ ଧରା
ପାଇଲ କି ଲାଭ ଯୋଡ଼ି ଏତେ ଭାବ
ରାତି ଯାଇନାହିଁ ପାହି
ଶୁଭୁଅଛି ତ୍ରାହି ତ୍ରାହି ।
ଆସିଛି ଆଜି ମୁଁ ନିଜେ ଥିବି ସାକ୍ଷୀ
ମୋ ମାଟି ମାଆର କେତେ ନିରିମାଖି
ଭୋକିଲା ଉଦରେ ମୁଠାଏ ଖୁଦରେ
ଜୀଇଁବା ଭରସା ନାହିଁ
ଦେଖ ହେ ପଛକୁ ଚାହିଁ ।
ଭାଗ୍ୟେ ଲେଖାନାହିଁ ଖାଇବା ବକତେ
ବଳୀ ଖେଳେ ଛଳି ଅବଳା ରକତେ
କେ କରେ ଧର୍ଷଣ କେ ଦିଏ କଷଣ
ହିସାବ ତାହାର ନାହିଁ
ଭାବି ଦେଖ ଆହେ ସାଇଁ ।
ଲହୁ ଆଉ ଲୁହ ଝରିଯାଏ ଯେତେ
ସେଥିପାଇଁ କୁହ ଦୋଷ କା'ର କେତେ
ହୁଏ କା' ହରଣ କେ ବରେ ମରଣ
କୁହ ତେବେ କାହାପାଇଁ
ତୁମେ ହିଁ ସବୁରି ଦାୟୀ ।
ଜାତି ଧର୍ମ ନାମେ ଏଠି ଦୈତ୍ୟ ଗଣ
ଭାଇ ଭାଇ ମଧ୍ୟେ ଭିଆଇଲେ ରଣ
କେ ଅବା ଅଧମ ଜାଳିଲା ସଦମ
ସାଧୁବେଶେ ରହି ଥାଇ
ତୁଣ୍ଡେ ତୁମ ନାମ ଗାଇ ।
ଧର୍ମଯୁଦ୍ଧ ଆଉ ଦେଶଭକ୍ତି ନାମେ
ଖଳ ହେଲେ ଠୁଳ ତୁମ ଏହି ଧାମେ
କରି ଆତ୍ମତୋଷ ଲଦିଲେଣି ଦୋଷ
ଆଉ କାହା ମୁଣ୍ଡେ ଯାଇ
କୁହ ଦେଖୁଛ କି ନାହିଁ ?
ତୁମକୁ ଦେବତା କରିଛି ଧନିକ
ବିକି ତୁମ ନାଆଁ ସାଜିଛି ବଣିକ
ତାହିରି ମାୟାରେ ତୁମରି ଛାୟାରେ
ଭ୍ରଷ୍ଟାଚାର କିସ ପାଇଁ
ପଚାରୁଛି ଆସି ଧାଇଁ ।
ଅଭିଯୋଗ ଅଛି ଆହୁରି କ୍ରମିକ
ତୁମ ରାମରାଜ୍ୟେ ଏ ଶିଶୁ ଶ୍ରମିକ
ପାଇଛି କି ଫଳ ହୁଏ ତ ବିଫଳ
ଅଶ୍ରୁଜଳେ ଅବଗାହି
ଦେଉଛି ତୁମକୁ ଦ୍ବାହି ।
ରଖିଅଛ ପରା ଖଣ୍ଡା ବାରହାତ
କେବେ ଆଉ ହେବ ଦୈତ୍ଯଙ୍କ ନିପାତ
କରୁଣାନିଧାନ କର ହେ ବିଧାନ
ଆରତଜନଙ୍କୁ ଚାହିଁ
ଅବତାର ଗଲା କାହିଁ ?
ପ୍ରସନ୍ନ କୁମାର ମାଦଳା
ଘର ନଂ - ଏଫ୍ / ୧୩
ସେକ୍ଟର - ୪