ସ୍ମୃତି ମୋ ଅମର
ସ୍ମୃତି ମୋ ଅମର
ସ୍ମୃତି ପରା ଏଇ ସାଧା ଜୀବନର
ଅଙ୍କାବଙ୍କା ଗୋଟେ ନଇ,
ସ୍ମୃତି ମୋର ଆସେ ଏ ବିଶ୍ଵ ବ୍ରହ୍ମାଣ୍ଡେ
ଖରା ଅବା ନେଇ ଛାଇ।
ସ୍ମୃତି ମୋ ଝଲସେ ମନ ଆଇନାରେ
ଆଶାର ନୂଆ ଆଲୋକେ,
ସାଇତା ମୁକୁତା ଅମୂଲ ମୂଲ ତା
ହସ ଉକୁଟାଏ ମୁଖେ।
ସ୍ମୃତି ଦିଏ ମୋର ଗଙ୍ଗାଜମୁନାରେ
ଶ୍ରାବଣ ନଈର ସୁଅ,
ସ୍ମୃତି ଆସେମୋର ଶୀତୁଆ ସନ୍ଧ୍ୟାରେ
କୁହୁଡି ରାଜାର ପୁଅ।
ସ୍ମୃତି କରିଦିଏ ବେଦରଦୀ ମନ
ଦରଦତା ଭରି ପ୍ରାଣେ,
ସ୍ମୃତି ପୁଣି ଭାସେ ଭାସ୍କର୍ଯ୍ୟ ତ କେବେ
ଅମାବାସ୍ୟା ହୋଇ ପ୍ରାଣେ।
ସ୍ମୃତି ତ ବଖାଣେ ଅତୀତର ସେଇ
ବିସ୍ମୃତିର ଇତିହାସ,
ସ୍ମୃତି ଦେଇଥାଏ ଫଗୁଣ ଲଗନ
ଆମ୍ର ବଉଳର ବାସ।
ସ୍ମୃତି ଢାଳିଦିଏ ସପ୍ତରଙ୍ଗର
ଅଭୁଲା ଇନ୍ଦ୍ରଧନୁ,
ସ୍ମୃତି ବି ଲିଭାଏ ମାନ ଅଭିମାନ
ରାଗ,ରୋଷ କ୍ରୋଧ ମନୁ।
ସ୍ମୃତି କହେ ଆଜି ବିଗତ ଦିନର
କିଛି ମୂହୁର୍ତ୍ତର ସୁଖ,
ଭୁଲିତ ପାରୁନି ଭୁଲାଇ ପାରୁନି
ଦିଏ ଜାଣି ଜାଣି ଦୁଃଖ।
ସ୍ମୃତି ଜାଗରଣେ ଲେଖେ ମୁଁ କବିତା
କହୁନି ମୁଁ କେବେ କବି,
ସେ କବିତା ଦିନେ ଗାଇବ ମୋ ସ୍ମୃତି
ପାଇଲେ କିରଣ ରବି।
ପ୍ରଣତି ମହାପାତ୍ର
ଫକୀରମୋହନ ନଗର
ଆଇଟିଆଇ ଛକ
ବାଲେଶ୍ଵର
ଫୋନ-୭୯୭୮୨୭୧୭୨