ଥୁଣ୍ଟାଗଛ
ଥୁଣ୍ଟାଗଛ
ଭାବି ନଥିବ ତୁମେ..!
ତୁମେ ବି ଦିନେ ମୋ ପରି ଶୂନ୍ୟ ହସ୍ତା ହେବ
ଆକାଶକୁ ଚାହିଁ..!
ଆକାଶର ସବୁଜ ପତ୍ର ଗହଳିରେ
ଅଣନିଶ୍ବାସୀ ହୋଇ ଖୋଜୁଥିବ
ଆଶ୍ୱାସନା ଛାଇ..!!
ଭାବି ନଥିବ କେବେ
ମଧ୍ୟାହ୍ନରେ ବୁଡିପାରେ ଯୌବନ ସୁରୁଜ
ଆଖି ଲୁହ ଛାତି କୋହ ସଙ୍ଗେ ସନ୍ଧି କରି
ବୁଣି ପାରନ୍ତି
ଅସରନ୍ତି ହସର ମୁରୁଜ.!!
ଭାବି ନଥିବ
ଅନାସ୍ଥା ପ୍ରସ୍ତାବ ନେଇ
ଧାନକ୍ଷେତରେ ଆସିପାରେ ଲଘୁଚାପ ଝଡ
ଋଣଭାର ବୋଝରେ ଚକଡା ପୋକ
ଭାଙ୍ଗି ପାରନ୍ତି
କୃଷକ'ର ହସ ଫୁଲ ଦମ୍ଭ ଆଉ
ସାମର୍ଥ୍ୟ କାନ୍ଧହାଡ.!!
ଭାବି ନଥିବ କେବେ.!!
ଏଠି ଦାନ ମାଝୀ କାନ୍ଧରେ ବିବଶତା ବୁହାହେଲେ
ଲେଖାହୁଏ ବିକାଶର ସୂତ୍ର
ରଇବୁ ଜୁଆଙ୍ଗ ଅନାହାରେ ମଲେ
ଅଙ୍କାହୁଏ ନଗଡା'ର ଚିତ୍ର..!!
କୁନ୍ଦୁଲି ପାଣି ପବନରେ ହାହାକାର ଭରିଗଲେ
ସମ୍ବାଦପତ୍ରରେ ଆହାକାର ଶୁଭେ
ରାଜନୀତି ମୁଖା ତଳେ
କାଉଟିଏ କୋଇଲି ସ୍ୱରେ ରାବେ..!
ହେଲେ ତୁମେ ତ ଥୁଣ୍ଟାଗଛଟେ
ପବନର ବାସ୍ନା କି
ତୁମ ଗମ୍ଭୀରତା ଭେଦୀ ପାରିବ..!?
ଭିଜାମାଟି ମୋହ କି ଆଉ ତୁମକୁ
ସ୍ୱପ୍ନଭୁକ୍ କରିପାରିବ..!??
ତଥାପି
ତୁମେ ନିର୍ଦ୍ୱନ୍ଦରେ ଆପଣେଇନିଅ
ଅଯାଚିତ ସମ୍ମୋହନ..!
ନିଜ ଦେହେ ଆଙ୍କୁଥାଅ
ଅବହେଳିତ ଜୀବନର ଶେଷ ପଦଚିହ୍ନ
ଆଉ ଅବଶିଷ୍ଟ ଆକର୍ଷଣ..!!
ନୀରବରେ ହସୁଥାଅ ମନଖୋଲା ହସ..!
ପ୍ରେମିକଟେ ପରି
ଶୀତ କାକର ଖରା ବର୍ଷା ସବୁ ଏକାକାର କରି
କବିତାରେ ଯୁଝୁଥାଅ ଜୀବନର ଗତି
ଆଉ ପ୍ରେମ ଭାଗଶେଷ..!!