ବେଶ ବଦଳାଇ ପୁଅ ହେବା
ବେଶ ବଦଳାଇ ପୁଅ ହେବା
ନାରୀ ତ ଅବଳା
ନାରୀ ତ ଦୁର୍ବଳା
ପରୋକ୍ଷେ କହେ ସମାଜ,
ନାରୀଟିଏ ନିଜେ
ନାରୀ କହିବାକୁ
ଲାଗୁଅଛି ତାକୁ ଲାଜ।
ନାରୀ ସୁରକ୍ଷାରେ
ନାରୀ ବିକାଶରେ
ଟଙ୍କା ଉଡେ ଏ ଦେଶରେ,
ବିଡ଼ମ୍ବନା ଏଠି
ପ୍ରତିଦିନ ନାର
କେତେ ହୁଏ ବଳାତ୍କାରେ।
ଅଗ୍ରାଧିକାର ତ ନାରୀଟିଏ ପାଏ
ପୁରୁଷ ଠୁଁ କେତେ ଗୁଣ,
କେତେ ଯେ ଯୋଜନା
ନାରୀ ପାଇଁ ହୁଏ
ହୁଏ ନାରୀ ସଶକ୍ତୀକରଣ।
ରାଜ୍ୟ ଠାରୁ କେନ୍ଦ୍ର
ଯାଏ ଦୁଲୁକୁଛି
ନାରୀର ବିଜୟ ବାନା,
ପ୍ରହସନ ଚାଲେ ଅପକର୍ମ ବଢେ
ଏଠି ପ୍ରତିବାଦ ହୁଏ ମନା।
ବୟସର ତାରତମ୍ୟ ତ ନଥାଏ
ହୁଏ ନାବାଳିକା ବଳାତ୍କାର,
ପ୍ରତି ମୁହୂର୍ତ୍ତରେ ନାରୀର ଇଜ୍ଜତ
ଭୃଲୁଣ୍ଠିତ ଏ ଧରାର।
ଶହଶହ ଏଠି ଦୁଃଶାସନଙ୍କର
ଲୋଲୁପ ଚକ୍ଷୁ ବୁଲଇ,
କଳିର ପୁରୁଷ ଶ୍ରୀକୃଷ୍ଣ ସାଜି
ଜଳଜଳ ଦେଖୁଥାଇ।
ଗୋଟେ ଦୌପଦୀଙ୍କୁ
ଦୁଃଶାସନ ସିନା
କରିଥିଲା ବିବସନା,
ବାଜି ପାଇଁ କୁରୁ ସଭା ତଳେ
ସର୍ବେ ହେଲେ ନୀରବ ,ମଉନା।
ଚକଲେଟ୍ ବିସ୍କୁଟ ବାହାନାରେ
ଏଠି ଚାଲେ ନାବାଳିକା ଦୁଷ୍କର୍ମ,
ରକ୍ଷକ ଯେଉଁଠି ଭକ୍ଷକ ସାଜୁଛି
ସେଠି ରହିବ କି ନ୍ୟାୟ ଧର୍ମ?
ନାରୀ ପାଇଁ ସବୁ ସୃଷ୍ଟି ଯେ ସମ୍ଭବ
କେମିତି କର ଏପରି,
ସେଥିପାଇଁ ସବୁ ନାବାଳିକା ଏଠି
ହେଲେଣି ପୁଅଙ୍କ ପରି।
ଚୁଟି ଛୋଟ କରି ପ୍ୟାଣ୍ଟ ସାର୍ଟ ପିନ୍ଧି
କରନ୍ତି ପୁଅଙ୍କ ଭଳି,
ନର ଖାଦକ ମାନେ ଜମା ଆଉ
ଚିହ୍ନି ନ ପାରନ୍ତି ଯେଭଳି।
ପ୍ରଣତି ମହାପାତ୍ର
ବାଲେଶ୍ୱର