ବୋଉ
ବୋଉ
ହାଇ ମାରୁ ମାରୁ ବୋଉ କୁହେ
ସରିଗଲା ଗପ...
ଯା’ ଏବେ ଶୋଇପଡ଼ ।
କହିବି କେମିତି ଯେ ତାକୁ
ସରିଲା ଗପର ଚରିତ୍ରମାନେ
ଏଇନୁ ତ ମନ ଡାଳରେ
ସଜ ସଜ ବାନ୍ଧୁଛନ୍ତି ନୀଡ଼ !
ଅଳସ ଭାଙ୍ଗୁ ଭାଙ୍ଗୁ ବୋଉ କୁହେ
ସରିଗଲା ଦିନ...
ରାଜୁତି ହେବ ଅନ୍ଧାରର
ନଇଁଲା ଅଣ୍ଟାରେ
ଯନ୍ତ୍ରଣା ଡେରିବ ତା’ କାନ ।
ବୁଝିପାରେନି ବି ଏତିକି...
ଆକାଶ ଶୋଇବାକୁ ଗଲେ
ଘୋଡ଼େଇ ହୁଏ
କଳା ରଙ୍ଗର ତରା ପକା ଚଦର
ନହେଲେ ଦେଖିବ କେମିତି ସେ
ଇନ୍ଦ୍ରଧନୁର ସପନ !
ଲୁହ ନିଚୁଡୁ ନିଚୁଡୁ ବୋଉ କୁହେ
ସରିଗଲା ଆୟୁଷ...
ପାହିବ ସକାଳ ଆଉ ରାବିବ କାଉ ?
ଭଲା ଦେଖେଇବି କେମିତି
ଦେହଟା ଖାଲି ଉପର ଖୋଳପା
ନର ଓ ନାରୀ ଭିନ୍ନ ଭିନ୍ନ ଚୋପା...
ମରଣରେ କୁଟିକାଟି ଦେଲେ
ସଭିଙ୍କ ପିଠିରେ ପା’ ତୁଷ
ହୋଇଥାଏ ଲାଉ !
ଆଖିର ଲୁହକୁ ପୋଛୁ ପୋଛୁ
କହିଲା ପରାଏ କହିଲି,
ବିଦା କରିବାକୁ ତର ହେଉ କିଆଁ ?
ପରାଧୀନତା ଯେ ନଲିଭିବା ନିଆଁ !
ବିଞ୍ଚିବାକୁ ଦେ’ ମୋତେ
ପରିଚୟର ସ୍ୱତନ୍ତ୍ର ରଙ୍ଗ,
ବର୍ଷିବାକୁ ଦେ’ ଥରେ
ତୋ ଉଦାସିଆ ମେଘ,
ତୁ ପା’ ମୋ ଉତ୍ପତ୍ତି ଆଉ ସ୍ଥିତି
ଅଯଥାରେ କାଇଁ ତେବେ
ହେଉ ଏମିତି ରାଉ ରାଉ ରାଉ !