ଜହ୍ନମାମୁଁ -2
ଜହ୍ନମାମୁଁ -2
ସାର୍ ବାସୁଦେବ ସୁଢଳଦେବ
ଦେଖ ମାମୁଁର କିରଣ ପ୍ରକାର ।
ହୋଇଛି କତକ ଗୁଣ୍ଡା ଆକାର ।
ଅନ୍ଧାର ମହା ସାଗରରେ ପଡ଼ି ।
ମଳିକି ଦେଉଛି ତଳକୁ ତଡ଼ି ।
ଛାଇଯାକ ମିଛ ।
ପଙ୍କ ଗୁଡ଼ାକ ବସିଛି ଦେଖୁଛ ।୭।
ଦେଖିଲି ମାମୁଁର କର କର୍ତ୍ତରୀ ।
ଆକାଶ କଳାକୁ ଦେଲା କତୁରି ।
ନାନାସ୍ଥାନେ ଘର ବୃକ୍ଷର ଛାଇ ।
ବୋଲନ୍ତି ଯେହୁ ନିଶ୍ଚୟ ସେବାୟୀ ।
ଜାଣିଲି ଜାଣିଲି ।
ପଡ଼ିଛି ତଳରେ ଆକାଶ ଛାଲି ।୮।
ଚନ୍ଦ୍ରିକା ପାଉଁଶ ବୋଳି ଦେହରେ ।
ତାରକା ଅସ୍ଥିଲମ୍ବାଇ ଗଳାରେ ।
କପାଳ କରି ଧରିଛି ମାମୁଁଙ୍କୁ ।
ତହିଁ ରଖିଛି ସିଦ୍ଧ ଅଞ୍ଜନକୁ ।
ରଜନୀ କାପାଳୀ ।
ଭ୍ରମୁଛି ଏଦ୍ବୀପ ସେଦ୍ବୀପ ମିଳି ।୯।
କେହି କେହି ଦେଖି ମାମୁଁ କଳଙ୍କ ।
କହୁଥାନ୍ତି ଏହା ସାଗର ପଙ୍କ ।
କେ କହେ ଧରିଛି କୁରଙ୍ଗ ବର ।
ଭୂମିର ଛାଇ ବୋଲନ୍ତି ଅପର
ସବୁ ମିଛ ମାଳା ।
ଅମୃତ ହାଣ୍ଡିର ନିଶ୍ଚୟ କଳା ।୧୦।
ଦିନେ ଗିଳୁଥିଲା ରାହୁ ମାମୁଁଙ୍କୁ ।
ସେକାଳେ ମେଘ ଧାଉଁଛି ପୂର୍ବକୁ ।
କୁତୁହଳୀ ହୋଇ ଦେଖିଲି ଯାଇ ।
ହାତୀପରି ଏକ କଳା ବିଲାଇ ।
ଉଦ୍ଦେଶି ପ୍ରତିଚୀ ।
ପିଠା ଗୋଟେ ଚାବି ପଳାଉଅଛି ।୧୧।
ପୂର୍ବ ଅଚଳେ ମାମୁଁ ଉଭାହୋଇ ।
ଲହରୀ ସଦୃଶ୍ୟ କର ବଢ଼ାଇ ।
କୁମୁଦ ଦଳ କବାଟ ଫିଟାଇ ।
କର କାକର ଦିଅନ୍ତେ ଲଗାଇ ।
ଚମକି ଉଠିଲା ।
କୁମୁଦିନୀ ମନ୍ଦେ ମନ୍ଦେ ହସିଲା ।୧୨।
ସମାପ୍ତ