ଛଅ ଋତୁ କଥା
ଛଅ ଋତୁ କଥା
ସତ୍ୟବ୍ରତ ସାହୁ
ଗ୍ରୀଷମ ସରିଲେ ବରଷା ଆସେ,
ଆକାଶରେ କଳା ବାଦଲ ଭାସେ । ।
ସବୁଜିଆ ଦିଶେ ମରତ ଭୂଇଁ,
ବିଲେ ଚଳେ ଚାଷୀ ହରଷ ହୋଇ । ।
ବରଷା ପଛକୁ ଶରତ ଆସେ,
କାଶତଣ୍ଡି ଫୁଲ ସବୁଠି ହସେ । ।
ମାଆ ଦୁର୍ଗାଙ୍କର ପୂଜା ହୁଅଇ,
ଧରାର ସୁସମା ମନ କିଣଇ । ।
ଶରତ ସରିଲେ ଆସେ ହେମନ୍ତ,
ସକାଳୁ କାକର ପଡ଼େ ବହୁତ । ।
ଘରେ ମାଣବସା ଲକ୍ଷ୍ମୀଙ୍କ ପୂଜା,
ଗେଣ୍ଡୁ ଫୁଲେ ମହୀ ହୁଅଇ ସଜା । ।
ଶୀତ ଆସିଥାଇ ହେମନ୍ତ ଶେଷେ,
ଦେହ ଥରିଉଠେ ଶୀତ ପରଶେ । ।
ନାନା ପରିବାକୁ ଫଳାଏ ଶୀତ,
ସୁନା ଧାନ ସାଥେ ଭରଇ କ୍ଷେତ । ।
ଶୀତ ପରେ ଆସେ ଋତୁ ବସନ୍ତ,
ଆମ୍ବବନୁ ଶୁଭେ କୋଇଲି ଗୀତ । ।
ମଳୟ ସହିତ ଫୁଲ ମହକ,
ଚହଟାଇ ଦିଏ ସାରା ମୁଲକ । ।
ବସନ୍ତ ଶେଷରେ ଗ୍ରୀଷମ ଆସେ,
ଜଳି ଉଠେ ଧରା ଖରାର ଧାସେ । ।
ନଈ, ନାଳୁ ଶୋଷି ନିଅଇ ପାଣି,
ତା’ପରେ ଆସଇ ବରଷାରାଣୀ । ।
ବରଷକ ଅଟେ ବାରଟି ମାସ,
ଛଅଟି ଋତୁରେ ହୁଅଇ ଶେଷ । ।
ଏକ ଋତୁ ଅଟେ ଦୁଇଟି ମାସ,
ଛଅ ଋତୁ କଥା ଏଇଠି ଶେଷ । ।