ପ୍ରତିଦାନ
ପ୍ରତିଦାନ
ଅଙ୍କୁରିତ ବୀଜରୁ ,
ନବ କିଶଳୟ ମେଲି ,
ପବନ ରେ ଦୋହଲି ,ଦୋହଲି,
ଆଶା ର ଆଲୋକ ନେଇ ,
ପାଣି, ପବନ, ମାଟିର ହାତ ଧରି,
ଚାରା ଗଛଟି ବଞ୍ଚିବାର ରାହା ଖୋଜି ପାଇଥିଲା ।
ପାଣି, ପବନ, ମାଟିର ସ୍ନେହ, ଆଦର ପାଇ,
କଅଁଳ ଡାଳ ସବୁ ତା ପତ୍ର ଗହଳେ ଶକ୍ତ ଶାଖା ହୋଇ,
ଫଳ, ପୁଷ୍ପେ ଭରା ଚାରାଗଛଟି ମହା ଦ୍ରୁମ ରେ ପରିଣତ ହୋଇ,
ଦଧୀଚିଙ୍କ ପରି ସର୍ବସ୍ବ ଦାନ କରିବାରେ ହୋଇଥିଲା ବ୍ରତୀ ।
ହେଲେ,
ସ୍ବାର୍ଥାନ୍ଧ ମାନବ କୃତଘ୍ନତାର ଅସି ନେଇ,
ମହା ଦ୍ରୁମର ଅସ୍ତିତ୍ବକୁ ନିପାତ କରି ,
ବନ୍ଧୁତ୍ୱର ଡୋରି କୁ ଛିଣ୍ଡାଇ,
ବୃକ୍ଷ ଯେ ତା ଜୀବନ , ସେ କଥା ଭୁଲି ,
ନିଜ ହାତେ ସେ ନିର୍ବୋଧ ମାନବ, ଧ୍ବଂସ ପଥେ ଆଗେଇ,
ମିଥ୍ଯା ସ୍ବାର୍ଥ, ଲୋଭ ,ଅହଂର ହୋଇ ବଶବର୍ତ୍ତୀ ,
ବିଶାଳ ମହାଦାନୀ ବୃକ୍ଷ କୁ ଏଇ ପ୍ରତି ଦାନ ଦେଇ,
ଯାଉଛି ମୃତ୍ଯୁ ପଥେ ଆଗେଇ, ଜାଣେନା ସେଇ ।