ଅପ୍ରାପ୍ତି
ଅପ୍ରାପ୍ତି
ତୁମେ,
ମୋ ଜୀବନର,
ଅଧାଦେଖା ସପନ ଗୋଟିଏ
ରାତି ପାହିଗଲା,
ତୁମେ ମୁହଁ ଲୁଚାଇନେଲ ।
ତଥାପି ପାଇବାକୁ ଅଡି ବସିଥିଲି,
ଅବୁଝା ଶିଶୁଟିଏ
ସତେଅବା ଜହ୍ନ ମାଗୁଥିଲା
ନିଜ ଅଜାଣତେ,
ପ୍ରାପ୍ୟ କି ଅପ୍ରାପ୍ୟ ନଜାଣି
ଆଉ ତୁମେ ସବୁଦିନ ମୋ ପାଇଁ
ଅପ୍ରାପ୍ୟ ରହିଗଲ ।
ମୁଁ ତ ମଣିଷଟିଏ,
କାମନାର ସୀମାନ୍ତରେ,
ହୁତ୍ ହୁତ୍ ଜଳୁଥିବା ବନାଗ୍ନିରେ,
ନିରୀହ ହରିଣ ଛୁଆଟିଏ,
ଅଗ୍ନିର ସ୍ଫୁଲିଙ୍ଗକୁ ପାଚିଲା ଡାଳିମ୍ବ ଭାବି
ହାତ ବଢାଇ ଦିଏ
ହେଲେ ହାତ ଜଳାଇବାକୁ ସାହସ ପାଏନି
ଡରିଯାଏ ମନ,
ଆଉ ବୁଝିଯାଏ,
ଆପଣାର ନୁହେଁ ଏଇ ବନ ।
ସାହସ ତ ଅନେକ ଥିଲା,
ଲଢିବାକୁ ନିଷ୍ଠୁର ଦୁନିଆ ସାଥିରେ,
ହେଲେ ଡରିଗଲି,
ତୁମେ ଯେବେ ପଛେ ହଟିଗଲ ।
ରାଜପୁତ୍ର, ପକ୍ଷୀରାଜ ଘୋଡା ଆଉ
ମହଲର ଚକ୍ ମକ୍ ରୋଷଣୀରେ
ପ୍ରଣୟର ପ୍ରତିଶୃତି ସବୁ ଭଲିଗଲ ।
ରାଞ୍ଝା, ମଜନୁ କିମ୍ବା କେଦାର,
ହୋଇ ପାରିବାର ସାହସ ମୋ ଥିଲା,
ଯଦି ତୁମେ ଥରଟିଏ କହିଦେଇଥାନ୍ତ
ତୁମେ ମୋ ସାଥିରେ ଅଛ,
ହିର୍, ଲୈଲା ଅବା ଗୌରୀ
ହେବାର ଭରଷା ଦେଇପାରିଥାନ୍ତ ।