ମା'ର ମମତା
ମା'ର ମମତା
ମମତା ବୋଳା ମୂରତି ଟିଏ ନାଁଟି ତା'ର ମା
ସରଗ ସୁଷମା ଊଣା ତା ପାଶେ ସିଏ ତା'ର ଉପମା ।
ମରଣ ପାଇଁ ବିବିଧ ପଥ ଜନ୍ମ ଲାଗି ଏକା ମା
ଈଶ୍ବର ଅଛନ୍ତି ସବୁରି ଘରେ କା' ତାଙ୍କର ମା ।
ପେଟ ଚିରି ଯେ ଜନମ ଦିଏ ଶକତି ଦିଏ ମା
ଛାତିରୁ ଯା'ର ଅମୃତମୟ ଧାରା ବହେ ସେ ମା ।
ଶିଶୁ କଣ୍ଠରୁ ଆଦ୍ୟ ଓଁକାର ଶବଦଟିଏ ମା
ଝୁଣ୍ଟି ପଡିଲେ ସ୍ୱତଃ ଶବଦ ବାହାରି ପଡେ ମା ।
ଘୋଡାଚଢା ବାପା ନଥିଲେ ଥିବ ଧାନକୁଟି ଗୋଟେ ମା
ଦୁନିଆଁ ଦାଣ୍ଡରେ ଛିଡା କରିଦେବ ଥିଲେ ଏକା ମା ।
ପଣତ ଯା'ର ଦିଗନ୍ତ ବିସ୍ତାରି ଦିଗ ବାରେଣି ମା
ଯା ମଥା ସିନ୍ଦୁର ଦେବତା ମନ୍ଦିର ଦେବୀ ସ୍ୱୟଂ ସେ ମା ।
ଗାଳି ଯାହାର ଦାଣ୍ଡର ଧୂଳି ସିଏ ଆମରି ମା
ଗାଳି ସହି ପାରେ ଆଶିଷ ଢାଳି କେବଳ ସେଇ ମା ।
ଖାଲି ପେଟରେ ଆମ ପେଟ ଚିହ୍ନି ଆହାର ଦିଏ ମା
ଶିକ୍ଷା ନଥାଇବି ସଂସ୍କାର ଦିଏ ଦୁନିଆଁ ଚିହ୍ନାଏ ମା ।
ସୁଧାର ଗାଇଟି ସିଂହି ପାଲଟେ ହୁଅଇ ଯେବେ ମା
ଋଣ ଯାହାର ସୁଝି ହୁଏନାହିଁ ନାଁ ଟି ତା'ର ମା ।
କୁପୁତ୍ର ସମ୍ଭବ କୁମାତା ନୁହେଁ ସ୍ୱତନ୍ତ୍ର ଶବ୍ଦଟି ମା
ସରଗର ବାମା ଉମା ରମା ସିନା ମରତେ ଏକା ମା ।
ଗୋ ଗଙ୍ଗା ଗାୟତ୍ରି ତିନି ମାତା ପୁଣି ଜନମ ମାଟି ମା
ବ୍ରହ୍ମା ବିଷ୍ଣୁ ମହେଶ୍ୱର ତ୍ରିଦେବଙ୍କ ସମାହାର ସେ ମା ।
ବାର ମେ ଦିନଟି ଉତ୍ସର୍ଗ ଦେବୀ ପ୍ରତିମ ମୋ ମା
ମାତୃ ଦିବସ ପାଳନ କରୁ ପ୍ରଣାମ ଘେନ ମା ।