ନିଆରା ଢଙ୍ଗରେ ପ୍ରେମ
ନିଆରା ଢଙ୍ଗରେ ପ୍ରେମ
ରାତି ଯେବେ ଗଭୀର ହୁଏ
ମୁଁ ପଡିଯାଏ କାହା ପ୍ରେମରେ,
ପ୍ରେମ ଫାଶରୁ ମୁକୁଳି ନ ପାରି
ବନ୍ଧାପଡିଯାଏ ତାଙ୍କ ପାଖରେ।
ପ୍ରୀତି ଫାଶେ ବାନ୍ଧି ପଥ ଓଗାଳନ୍ତି
ନ ଛାଡନ୍ତି ମୋତେ ଶେଯକୁ।
ଚାରିପଟେ ଘେରି ଅଳି କରୁଥାନ୍ତି
ସ୍ପର୍ଶ ଟିକେ ଖାଲି ଦେବାକୁ।
ପ୍ରତ୍ୟାଖ୍ୟାନ ଯମା କରିପାରେନାହିଁ
ଅଧା ବାଟୁ ଫେରି ଯାଏ,
ଅଳପ ଟିକିଏ ପରଶ ଦେଇ ମୁଁ
ମହାନନ୍ଦ ପାଇଯାଏ।
ଗାଢ ରଜନୀରେ ତିନି ପ୍ରେମିକ ମୋ
ପାଖେ ପାଖେ ରହୁଥାନ୍ତି,
ଜଣେ ପରେ ଜଣେ ରହିରହି ଖାଲି
ସୁନ୍ଦର ଶବ୍ଦ ଯୋଗାନ୍ତି।
ସେ ପ୍ରେମିକ ମୋର ଆଉ କେ ନୁହନ୍ତି
ଅଟନ୍ତି ମୋ ଆପଣାର,
ଗଳ୍ପ ଓ ନାଟକ ,କବିତା ତିନିହେଁ
ମୁଁ ଯେ ପ୍ରେମିକା ତାଙ୍କର।
ସାରାଦିନ କ୍ଲାନ୍ତି,ଅବସାଦ ମଧ୍ୟେ
ତାଙ୍କୁ ମୁଁ ଭୁଲେ ନି କେବେ,
ତାଙ୍କ ପାଇଁ କେତେ ପ୍ରଶଂସା ପାଇଛି
ଗର୍ବରେ କହେ ମୁଁ
ତାଙ୍କ ପ୍ରେମେ ବନ୍ଧା ଏବେ,
ସଦା ତାଙ୍କ ପ୍ରେମ ଭାବେ।
ପ୍ରଣତି ମହାପାତ୍ର
ବାଲେଶ୍ୱର