ଶରାହତ
ଶରାହତ
ଆମେ ତ ଥିଲୁ ପକ୍ଷୀ
ପ୍ରେମ ସଂସ୍କୃତି ସମ୍ପନ୍ନ ମରାଳ
ଉଚ୍ଚ ଗୋତ୍ରର ବିରଳ ପ୍ରଜାତିର
ଆମକୁ ଦେଖି ଚଷା ଖୁସି
ଭଲ ଫସଲର ସୂଚନା ନେଇ ଆସୁ
ସାତ ପର୍ବତମାଳା ଡେଇଁ
କେତେ ଯୋଜନରୁ ତମଠି କି
ଆମ ପୂର୍ବପୁରୁଷଙ୍କ ବିବାହ ବେଦୀକୁ
ପ୍ରତି ବର୍ଷ ଆସିବାକୁ ପଡେ
ପାଦରେ ବାଲୁକା ଶଯ୍ୟାରେ
ଆଂକିବାକୁ ତାଙ୍କ ପାଇଁ ଝୋଟି ଚିତା
ଆକାଶକୁ ମୁହଁ କରି ଗୀତିନାଟ୍ୟ ଓ
ହୁଳହୁଳିରେ ଆବାହନ କରି ପିତରଙ୍କୁ
ଜଣାଇ ଦିଆଯିବ ବୋଲି
ପୂର୍ବଭଳି ତାଙ୍କ ଉତ୍ତର ଦାୟଦ
ଭଲରେ ଅଛୁ ଆଉ ସବୁକଥା ଛାଡି
ପରସ୍ପର ପ୍ରୀତି ଭାବରେ
ଚଞ୍ଚୁରେ ଚଞ୍ଚୁ ଘଷି ଓଠକୁ ଛୁଉଁଛୁ
କଳନାଦର ତାଳେ ତାଳେ
ପ୍ରଣୟ ନୃତ୍ୟ ବି କରୁଛୁ ।
ପ୍ରଦୂଷିତ ଦୁଃଖ ସବୁ ଲୁଚାଇ ରଖୁ
ମନରେ ମନରେ
ତାଙ୍କୁ କଷ୍ଟ ନ ହେଉ ବୋଲି,
ଅଥଚ କେଉଁ ଦେବଦତ୍ତ ହାତେ
ଆହତ ମୁଁ ଶରବିଦ୍ଧ ନିଃସ୍ପନ୍ଦନ
ସ୍ରାବିତ ଛିନ୍ନ ପକ୍ଷ ଗୋ ପ୍ରଣୟିନୀ
ନିଶ୍ଚିନ୍ତ ଗୌତମଙ୍କ କୋଳେ
ଶୁଷ୍କ ଚଞ୍ଚୁ ମୋର ତୃଷାର୍ତ୍ତ
ଘଷିବି କାହାର ଚଞ୍ଚୁରେ
ଆସି ଦେଖି ଯାଅ ଥରେ ପ୍ରିୟେ ।