ଶାଶ୍ୱତ ପ୍ରେମ
ଶାଶ୍ୱତ ପ୍ରେମ
ଏ ମହା ସୃଷ୍ଟିର ବିଶେଷତ୍ୱ ଏହା
ପ୍ରେମର ବୃଷ୍ଟିରେ ବନ୍ଧା ସଭିଏଁ,
ପ୍ରେମ ରସେ ଥରେ ବୁଡ଼ ଦେଇଥିଲେ
ଜୀବନରେ ସ୍ଵାଦ ଅଲଗା ଥାଏ ।
ଶାଶ୍ୱତ ପ୍ରେମ ତ ଅଦୃଶ୍ୟ ପରାଏ
ଭୋଗ ପ୍ରେମ ଦୃଶ୍ୟମାନ,
ସ୍ଵାର୍ଥପର ପ୍ରେମେ ବାଇ ଯୁବ ବର୍ଗ
ବିନାଶ ପଥରେ ଯାଏ ପରାଣ।
ପ୍ରେମ ଭାବ ଡୋରେ ବନ୍ଧା ଜଗବନ୍ଧୁ
ଅଭାବେ ହୁଅଇ ଦୂର,
ପ୍ରେମ କାନନର ପାରିଜାତ ପୁଷ୍ପ
ଅମୂଲ ମୂଲ ତାହାର।
ପିତା ପୁତ୍ର,ମାତା ଦୁହିତା,ଭଗିନୀ
ଭ୍ରାତା ,ସ୍ନେହ ପ୍ରେମର ଭକତି,
ନିଷ୍ଠାପର ପ୍ରେମେ କ୍ଷତି ଲାଭ ନାହିଁ
ପ୍ରେମ ଭାବର ବିଚିତ୍ର ଶକତି।
ତିନି ମୂହୁର୍ତ୍ତର ପାଣି ଫୋଟକା ଏ
ଜନ୍ମ ମୃତ୍ୟୁ ଦୁଇ କ୍ଷଣ,
ମଝି ମୂହୁର୍ତ୍ତକୁ ନିସ୍ଵାର୍ଥ ଆଶାରେ
ବିନିଯୋଗେ ହେବ ଧନ୍ୟ।
ବହିଯାଏ ସାରା ଜଗତ ବକ୍ଷରେ
ପ୍ରୀତି, ପ୍ରେମ,ଭକ୍ତି,ସ୍ନେହ।
ଫଗୁଣର ସାତ ରଙ୍ଗ ବୋଳିହୋଇ
ପ୍ରେମ ର ମୃଦୁ ମଳୟ।
ମନ ସାହାରର ମରୁଭୂମିରେ
ପ୍ରୀତି ଶ୍ରାବଣର ଧାରା,
ଜୀବନ ଆଶାର ପହିଲି ଆଷାଢେ
ନାରୀର ପ୍ରେମ ପସରା।
ସ୍ନେହ ଶ୍ରଦ୍ଧା, ପ୍ରେମ ପ୍ରୀତି ଭରା
ସାରା ଜଗତ ପ୍ରେମରେ ବନ୍ଧା
ଜଗନ୍ନାଥଙ୍କର ଆନନ୍ଦ ବଜାର
ଲକ୍ଷ୍ମୀଙ୍କ ଶ୍ରୀ ହସ୍ତ ରନ୍ଧା।
ସେହି ପ୍ରେମ ବୋଳା ଅବଢାକୁ ଖାଇ
ସର୍ବେ ହେବା ଆହ୍ଲାଦିତ,
ପ୍ରେମିକ ପ୍ରବର କାଳିଆ ଠାକୁର
ପାଦେ କୋଟି ପ୍ରଣିପାତ।
ଶିକ୍ଷୟିତ୍ରୀ ପ୍ରଣତି ମହାପାତ୍ର
ବାଲେଶ୍ଵର